ଦିଲ୍ଲୀରେ ଚାଞ୍ଚଲ୍ୟ, କଲେଜ ଛାତ୍ରୀଙ୍କୁ ଏସିଡ୍ ମାଡ

ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ଦିଲ୍ଲୀର ଲକ୍ଷ୍ମୀବାଇ କଲେଜ ନିକଟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ଏସିଡ୍ ଆକ୍ରମଣ ହୋଇଛି।

ପୋଲିସର ସୂଚନା ଅନୁଯାୟୀ, ପୀଡିତା ଜଣକ କଲେଜକୁ ଯାଉଥିବା ସମୟରେ ସକାଳ ପ୍ରାୟ ୧୦ଟା ସମୟରେ ଏହି ଆକ୍ରମଣ ହୋଇଥିଲା। ବର୍ତ୍ତମାନ ତାଙ୍କ ବୟାନ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

୨୦ ବର୍ଷୀୟ ପୀଡିତା ମୁକୁନ୍ଦପୁର ଅଞ୍ଚଳର ହୋଇଥିଲା ବେଳେ ସେ କ୍ଲାସ ପାଇଁ ଅଶୋକ ବିହାରର ଲକ୍ଷ୍ମୀବାଇ କଲେଜକୁ ଯାଉଥିଲେ। ସେହି ସମୟରେ ମୁକୁନ୍ଦପୁରର ବାସିନ୍ଦା ଜିତେନ୍ଦ୍ର ତାଙ୍କ ବନ୍ଧୁ ଇଶାନ ଏବଂ ଅରମାନ ସହିତ ଏକ ବାଇକରେ ଆସିଥିଲେ। ଈଶାନ, ଅରମାନକୁ ଏସିଡ ବୋତଲ ଦେଇଥିଲା ବେଳେ ସେ ତାଙ୍କ ଉପରେ ଏସିଡ୍ ଫିଙ୍ଗିଥିବା ନେଇ ପୀଡ଼ିତା ନିଜ ବୟାନରେ କହିଛନ୍ତି।

ତେବେ ଏହି ଘଟଣାରେ ତାଙ୍କର ଦୁଇ ହାତ ପୋଡ଼ି ଯାଇଥିଲା।ଆକ୍ରମଣ ପରେ ସ୍ଥାନୀୟ ଲୋକମାନେ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲେ ଓ ସେଠାରେ ତାଙ୍କର ଚିକିତ୍ସା ହୋଇଥିଲା। ତେବେ ଜିତେନ୍ଦ୍ର ନାମକ ବ୍ୟକ୍ତି ତାଙ୍କ ପିଛା କରୁଥିଲେ ଏବଂ ପ୍ରାୟ ଏକ ମାସ ପୂର୍ବରୁ ସେମାନଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ମଧ୍ୟ ହୋଇଥିଲା। ଯାହାଫଳରେ ଏପରି କାଣ୍ଡ ହୋଇଥିବା ପୋଲିସ କହିଛି।

ପୀଡିତାଙ୍କ ବୟାନକୁ ଆଧାର କରି BNSର ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଏଥିସହିତ ପୋଲିସ ଟିମ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରୁଛି।

Comments (0)
Add Comment