ନୂଆଦିଲ୍ଲୀ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପାଦ ଛୁଇଁବା ପରେ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ୍ ଦୋସାଞ୍ଜଙ୍କୁ ଧମକ ମିଳିଛି।
ଅମିତାଭ ବଚ୍ଚନଙ୍କ ପାଦ ଛୁଇଁବା ଘଟଣାକୁ ଖାଲିସ୍ତାନ ସମର୍ଥକ ସଂଗଠନ ଶିଖ୍ସ ଫର୍ ଜଷ୍ଟିସ୍ କଡ଼ା ସମାଲୋଚନା କରି ଏହାକୁ ୧୯୮୪ମସିହାରେ ଦଙ୍ଗା ପୀଡ଼ିତଙ୍କ ପ୍ରତି “ଅପମାନ” ବୋଲି ଦାବି କରିଛି। ଏଥିସହ ଅଷ୍ଟ୍ରେଲିଆରେ ନଭେମ୍ବର ୧ ତାରିଖରେ ହେବାକୁ ଥିବା ଦିଲଜିତଙ୍କ କନସର୍ଟକୁ ‘ବନ୍ଦ’ କରିବାକୁ ଅଡି ବସିଛି। କାରଣ ଏହି ଦିନ ଅର୍ଥାତ ନଭେମ୍ବର ୧କୁ ଶିଖ ଗଣହତ୍ୟା ସ୍ମାରକୀ ଦିବସ ଭାବରେ ପାଳନ କରାଯାଏ।
ଦିଲଜିତ୍ ଦୋସାଞ୍ଜଙ୍କୁ ମିଳିଛି ଧମକ
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଖାଲିସ୍ତାନ ସମର୍ଥକ ସଂଗଠନ ଶିଖ୍ସ ଫର୍ ଜଷ୍ଟିସ୍ ଏକ ବିବୃତ୍ତି ଜାରି କରି କହିଛି ଯେ ଦିଲଜିତ୍ ଦୋସାଞ୍ଜ “କୌନ୍ ବନେଗା କରୋଡ଼ପତି ୧୭” ରେ ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନଙ୍କ ପାଦ ଛୁଇଁ ୧୯୮୪ ମସିହାରେ ଶିଖ୍ ଦଙ୍ଗା ଘଟଣାର ପ୍ରତ୍ୟେକ ପୀଡିତ, ବିଧବା ଏବଂ ଅନାଥଙ୍କୁ ଅପମାନିତ କରିଛନ୍ତି।
ଅମିତାଭ ବଚ୍ଚନଙ୍କ ପାଇଁ ଅନେକ ଶିଖଙ୍କ ହୋଇଛି ମୃତ୍ୟୁ
କାରଣ ଅମିତାଭ ବଚ୍ଚନ ୧୯୮୪ ମସିହା ଡିସେମ୍ବର ୩୧ରେ “ଖୁନ୍ କା ଅବଦାଲା ଖୁନ୍” (ରକ୍ତ ପାଇଁ ରକ୍ତ) ନାରା ଦେଇ ଭାରତୀୟ ଜନତାଙ୍କୁ ସାର୍ବଜନୀନ ଭାବରେ ଉସୁକାଇଥିଲେ, ଯାହା ଫଳରେ ସାରା ଭାରତରେ ଅନେକ ଶିଖଙ୍କ ମୃତ୍ୟୁ ହୋଇଥିଲା।
ଦିଲଜିତ୍ ଦୋସାଞ୍ଜ କିଛିଦିନ ତଳେ ‘କୌନ୍ ବନେଗା କରୋଡ଼ପତି ୧୭’ ସେଟରେ ପହଞ୍ଚି ସୋ’ର ଉପସ୍ଥାପକ ଅମିତାଭ ବଚ୍ଚନଙ୍କ ପାଦ ଛୁଇଁଥିଲେ। ଏହି ସମୟରେ ବିଗ୍ ବି ଗାୟକଙ୍କୁ ପଞ୍ଜାବର ପୁଅ ବୋଲି କହିଥିଲେ ଏବଂ ଦୁହେଁ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଏହି ଘଟଣା ଏବେ ବିବାଦ ସୃଷ୍ଟି କରିଛି।