କଟକ ପ୍ରଶାସନ ତରଫରୁ ପ୍ରଥମଥର ପାଇଁ ତିଆରି ହୋଇଛି ମୁଖ୍ୟ ଗୀତ “ଆମ ଐତିହାସିକ ବାଲିଯାତ୍ରା”

କଟକ: ଓଡ଼ିଶା–ଐତିହାସିକ ବାଲିଯାତ୍ରାର ଗୌରବ ଓ ଓଡ଼ିଶାର ସଂସ୍କୃତିକ ଐତିହ୍ୟକୁ ସାରା ଦେଶରେ ପ୍ରଚାର କରିବା ପାଇଁ, କଟକ ପ୍ରଶାସନ ତରଫରୁ ପ୍ରଥମଥର ପାଇଁ ଏକ ମୁଖ୍ୟ ଗୀତ ତିଆରି ହୋଇଛି- “ଆମ ଐତିହାସିକ ବାଲିଯାତ୍ରା”। ଏହା ଓଡ଼ିଶାର ପୁରାତନ ବାଣିଜ୍ୟ ଐତିହ୍ୟ, ସାଗରିକ ଗୌରବ ଓ ସଂସ୍କୃତିକ ମହିମାକୁ ନବ ଦୃଷ୍ଟିକୋଣରେ ପ୍ରତିବିମ୍ବିତ କରିଛି।

ଏହି ଗୀତର ଶବ୍ଦ ରଚନା କରିଛନ୍ତି ACP କୃଷ୍ଣଚନ୍ଦ୍ର ସେଠୀ, ଯିଏ ନିଜ ଶବ୍ଦ ମାଧ୍ୟମରେ ଓଡ଼ିଆ ମାଟିର ଗୌରବ ଓ ଐତିହ୍ୟକୁ ଜୀବନ୍ତ କରିଛନ୍ତି। ସଙ୍ଗୀତ ନିର୍ଦ୍ଦେଶନ କରିଛନ୍ତି ବିକାଶ ଶୁକ୍ଲା, ଏବଂ ସଙ୍ଗୀତ ସଜାଣା (Arrangement) କରିଛନ୍ତି ପ୍ରଫୁଲ୍ଲ ବେହେରା। ଗୀତଟିରେ କଣ୍ଠଦାନ ଦେଇଛନ୍ତି ACP କୃଷ୍ଣଚନ୍ଦ୍ର ସେଠୀ, ACP ସତ୍ୟଜିତ ଦାସ, ଶୌଜନ୍ୟା ରଥ ଏବଂ ବିଷ୍ଣୁ ମୋହନ କବି। ଯାହା ଗୀତଟିକୁ ଏକ ସଜିବ ଓ ଉତ୍ସବମୟ ଅନୁଭବ ଦେଇଛି।

ଏହି ସଙ୍ଗୀତ ପ୍ରକଳ୍ପର କ୍ରିଏଟିଭ୍ ହେଡ୍ (Creative Head) ଭାବେ କାର୍ଯ୍ୟ କରିଛନ୍ତି ACP ଅମିତାଭ ମହାପାତ୍ର ଓ ସାଇ ସିଦ୍ଧାନ୍ତ ମିଶ୍ର, ଯାହାଙ୍କ ନିର୍ଦ୍ଦେଶନ, ସଂଗଠନ ଓ ସୃଜନାତ୍ମକ ଦୃଷ୍ଟିକୋଣ ଏହି ପ୍ରକଳ୍ପକୁ ବିଶେଷ ରୂପ ଦେଇଛି। ଗୀତଟିର ରେକର୍ଡିଂ ମିଲନ ଷ୍ଟୁଡିଓ, କଟକରେ ସମ୍ପନ୍ନ ହୋଇଛି। ଏହି ପ୍ରୟାସ ମାଧ୍ୟମରେ କଟକ ପ୍ରଶାସନ ପ୍ରଥମଥର ପାଇଁ ଏକ ସାହିତ୍ୟିକ ଓ ସଙ୍ଗୀତିକ ଆଭିମୁଖ୍ୟରେ ବାଲିଯାତ୍ରାର ଗୌରବକୁ ଆଗକୁ ନେଇ ଯାଇଛି। ଏହି ଗୀତ ମାଧ୍ୟମରେ ଓଡ଼ିଶାବାସୀ ନିଜ ଐତିହାସିକ ମୂଳ ସହିତ ନବ ସଂସ୍ପର୍ଶ ଅନୁଭବ କରିପାରିବେ। ଏହି ଗୀତ ଶୀଘ୍ର ଭିଡିଓ ସହିତ ମୁକ୍ତି ପାଇବାକୁ ଯାଉଛି, ଯାହା ଓଡ଼ିଶାର ପାଇଁ ଗର୍ବ ଓ ପ୍ରେରଣାର ପ୍ରତୀକ ହେବ।

Comments (0)
Add Comment