‘ଅହମ୍ମଦାବାଦ୍ ଅନ୍ତର୍ଜାତୀୟ ପୁସ୍ତକ ମହୋତ୍ସବ-୨୦୨୫’ ଉଦଘାଟିତ
ପାଠାଗାର ଆନ୍ଦୋଳନ ସହ ପଠନ ସଂସ୍କୃତିକୁ ସୁଦୃଢ଼ କରିବ – ଧର୍ମେନ୍ଦ୍ର ପ୍ରଧାନ
• ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍ଙ୍କ ସହ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
• ଗୁଜୁରାଟ ବିଦ୍ୟାପୀଠ ଷ୍ଟଲ୍ ପରିଦର୍ଶନ କରିବା ସହ ପୁସ୍ତକ କିଣିଲେ
• ପୁସ୍ତକ ମେଳାରେ ବୁଲି ପୁସ୍ତକ ଖୋଜିବା ଓ କିଣିବା ମୂଲ୍ୟବାନ ଅନୁଭୂତି
• ପୁସ୍ତକ ମେଳା ବୁଲିବା ପାଇଁ ଯୁବବର୍ଗଙ୍କୁ ଦେଲେ ପରାମର୍ଶ
ଅହମ୍ମଦବାଦ, ନଭେମ୍ବର ୧୩ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ୍ଙ୍କ ସହ ଅହମ୍ମଦାବାଦ୍ ଅନ୍ତର୍ଜାତୀୟ ପୁସ୍ତକ ମହୋତ୍ସବ (ଏଆଇବିଏଫ- ୨୦୨୫)ର ଉଦ୍ଘାଟନୀ ସମାରୋହରେ ଯୋଗଦେଇଛନ୍ତି । ରିଭରଫ୍ରଣ୍ଟ୍ ଇଭେଣ୍ଟ୍ ସେଣ୍ଟର୍ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ପୁସ୍ତକ, ଲେଖକ, ସଂସ୍କୃତି ଏବଂ ସୃଜନଶୀଳତାର ଏହି ୧୧ ଦିନିଆ ଉତ୍ସବକୁ ପ୍ରଶଂସା କରିଛନ୍ତି ।
ସେ କହିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିରେ ଅନୁପ୍ରାଣିତ ହୋଇ ନ୍ୟାସନାଲ ପୁସ୍ତକ ଟ୍ରଷ୍ଟ୍ (ଏନବିଟି) ଏବଂ ଅହମ୍ମଦାବାଦ୍ ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ଏହି ମହୋତ୍ସବ ଆୟୋଜିତ ହେଉଛି । ଏହି ମହୋତ୍ସବ ଆମର ପାଠାଗାର ଆନ୍ଦୋଳନ ଏବଂ ପଠନ ସଂସ୍କୃତିକୁ ଆହୁରି ସୁଦୃଢ଼ କରିବ । ସେ ଅହମ୍ମଦାବାଦ୍ର ସମସ୍ତ ନାଗରିକ ବିଶେଷ କରି ଯୁବବର୍ଗଙ୍କୁ ପୁସ୍ତକ, ଲେଖକ, ସଂସ୍କୃତି, ସୃଜନଶୀଳତା ଓ ସ୍ୱାଦିଷ୍ଟ ବ୍ୟଞ୍ଜନର ଏହି ମହାନ ସମାରୋହକୁ ପରିଦର୍ଶନ କରିବା ପାଇଁ ଉତ୍ସାହିତ କରିଛନ୍ତି।
ଏହି ଅବସରରେ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତିର ସ୍ମରଣୋତ୍ସବ ପାଳନ ହୋଇଥିଲା । ଶତାଧିକ ଲୋକମାନେ ସାମୂହିକ ଭାବେ ‘ବନ୍ଦେ ମାତରମ୍’ ଗାନ କରିଥିଲେ । ଶ୍ରୀ ପ୍ରଧାନ ଏହାକୁ ‘ସ୍ୱାଭିମାନର ସ୍ୱର’ ଏବଂ ‘ଭାରତର ଆତ୍ମାର ଭାବନା’ ବୋଲି ଅଭିହିତ କରିଥିଲେ । ସେ ଆହୁରି କହିଥିଲେ ଯେ “ବନ୍ଦେ ମାତରମ୍ କେବଳ ଏକ ଗୀତ ନୁହେଁ, ବରଂ ମାତୃଭୂମି ପ୍ରତି ଆମର ଅତୁଟ ଆସ୍ଥା ଏବଂ ରାଷ୍ଟ୍ରଭକ୍ତିର ଜୀବନ୍ତ ଅଭିବ୍ୟକ୍ତି ।”
ପରିଶେଷରେ ଶ୍ରୀ ପ୍ରଧାନ ଏହି ମେଳାରେ ଥିବା ଗୁଜୁରାଟ ବିଦ୍ୟାପୀଠ ଷ୍ଟଲ୍କୁ ପରିଦର୍ଶନ କରି ସେଠାରୁ ପୁସ୍ତକ ଓ ଷ୍ଟେସନାରୀ ସାମଗ୍ରୀ କିଣିଥିଲେ । ପୁସ୍ତକ ମେଳାରେ ବୁଲି ପୁସ୍ତକ ଖୋଜିବା ଓ କିଣିବାର ଅନୁଭୂତିକୁ ସେ ‘ଏକ ସର୍ବଦା ମୂଲ୍ୟବାନ ଅନୁଭୂତି’ ବୋଲି କହିଛନ୍ତି ।