ନୂଆଦିଲ୍ଲୀ: ସମୃଦ୍ଧ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହିତ ସମାନ୍ତରାଳ ଭାବେ ପ୍ରଗତି ଓ ଆଧୁନିକତାକୁ ଆଦରି ନେଇ ସବୁ ବର୍ଗର ଲୋକମାନଙ୍କ ସାମଗ୍ରୀକ ବିକାଶ ପ୍ରତି ସରକାରଙ୍କ ପ୍ରତିବଦ୍ଧ ବୋଲି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢୋକ୍ତି ପ୍ରକାଶ କରିବା ସହିତ ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ଦିଗରେ ସମସ୍ତେ ବ୍ରତୀ ହେବାକୁ ଆହ୍ଵାନ ଦେଇଥିଲେ ।
୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫ର ନବମ ଦିବସରେ ଆଜି ପାଳିତ ଓଡିଶା ରାଜ୍ୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ, ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ବିଷୟବସ୍ତୁ ଯଥାର୍ଥରେ ଆମ ସ୍ୱପ୍ନ ଓ ସମ୍ଭାବନାକୁ ପ୍ରତିପାଦିତ କରିବା ସହିତ ପ୍ରଯୁକ୍ତି ବିଦ୍ୟାର ସଫଳ ଉପଯୋଗ ମାଧ୍ୟମରେ ସିଲିକନ୍ ସେମିକଣ୍ଡକ୍ଟର୍ ଚିପ୍ ଭଳି ସୂକ୍ଷ୍ମାତିସୂକ୍ଷ୍ମ ଅତ୍ୟାଧୁନିକ ଉତ୍ପାଦ ପ୍ରସ୍ତୁତି କ୍ଷେତ୍ରରେ ଓଡ଼ିଶାକୁ ନୂତନ ପରିଚୟ ପ୍ରଦାନ କରିବ ବୋଲି କହିଥିଲେ । ଏହା ଆମ ଅର୍ଥନୀତିକୁ ସୁଦୃଢ କରିବ ଏବଂ ନୂତନ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବ । ନବୀକରଣୀୟ ବିଦ୍ୟୁତ ଶକ୍ତିର ଉତ୍ପାଦନ, ବ୍ୟାପକ ବୃକ୍ଷଚାରା ରୋପଣ ମାଧ୍ୟମରେ ପରିବେଶ ସନ୍ତୁଳନ ରକ୍ଷା ଏବଂ ପରବର୍ତ୍ତୀ ପିଢୀ ପାଇଁ ଏକ ସୁନ୍ଦର ପୃଥିବୀ ଛାଡିଯିବା ଆଭିମୁଖ୍ୟ ନେଇ ଆମ ନୀତି ଓ ଯୋଜନା ପ୍ରଣୟନ କରିବା ସହିତ ତାର କାର୍ଯ୍ୟାନ୍ଵୟନ ଆମର ପ୍ରାଥମିକତା ରହିଛି ବୋଲି ଉପସ୍ଥିତ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫ର ନବମ ଦିବସରେ ଭାରତ ମଣ୍ଡପମ ପରିସରସ୍ଥ ମୁକ୍ତାକାଶ ନାଟ୍ୟଶାଳାରେ ଆଜି ଆୟୋଜିତ ଓଡିଶା ରାଜ୍ୟ ଦିବସ ସମାରୋହର ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଏହି ସମାରୋହକୁ ଉଦଘାଟନ କରିବା ସହିତ ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁ ପତ୍ରିକା ଦ୍ଵୟର ସ୍ଵତନ୍ତ୍ର ସଂଖ୍ୟାର ଶୁଭ ଉନ୍ମୋଚନ କରିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀ ଓଡ଼ିଶା ମଣ୍ଡପ ପରିଦର୍ଶନରେ ଆସି ବିଭିନ୍ନ ବିଭାଗର ଷ୍ଟଲ୍ ଅଧିକାରୀ, ଶିଳ୍ପୀ ଓ ବୁଣାକାରଙ୍କ ସହ ବାର୍ତ୍ତାଳାପ କରି, ଓଡିଶାର ଗୌରବମୟ ଅତୀତକୁ ବଜାୟ ରଖିବା ସହ ଓଡ଼ିଶାକୁ ଆତ୍ମନିର୍ଭର ଓଡ଼ିଶାରେ ପରିଣତ କରିବାକୁ ପରାମର୍ଶ ଦେଇଥିଲେ ।
ରାଜ୍ୟ ଦିବସ ଅବସରରେ ଭୁବନେଶ୍ଵର ନୁପୁର ଅନୁଷ୍ଠାନରେ କଳାକାରମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟାଭିନୟ, ଦିଗପହଣ୍ଡି(ଗଞ୍ଜାମ)ର ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦ ତରଫରୁ ପଶୁମୁଖା ନୃତ୍ୟ, ସୁବର୍ଣ୍ଣପୁର ସ୍ଥିତ ରୁମକୁଝୁମାର କଳାକାରମାନଙ୍କ ସମ୍ବଲପୁରୀ ନୃତ୍ୟ, କନ୍ଧମାଳ ଜିଲ୍ଲାର ନୂତନ କଳା ସଂସଦର ଶିଙ୍ଘନୃତ୍ୟ ଏବଂ କଳାହାଣ୍ଡିର ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ଘୁମୁରା ନୃତ୍ୟ ପରିବେଷଣ ହୋଇଥିଲା ।