ହାଡଭଙ୍ଗା ଶୀତରେ ଥରୁଛି ଓଡିଶା: ୧୦ ଡିଗ୍ରୀ ତଳେ ୧୨ ସହର

ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ଜାଡ଼। କଲବଲ କରୁଛି ଅସହ୍ୟ ଥଣ୍ଡା। ରାଜ୍ୟରେ ଏହି ଶୀତ ଜାରି ରହିବ। ଗୁରୁବାର ଓ ଶୁକ୍ରବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ଢେଙ୍କାନାଳର ବିକ୍ଷିପ୍ତ ସ୍ଥାନରେ ଶୀତ ଲହରୀ ବହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଗୁରୁବାର ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, କଳାହାଣ୍ଡି ଓ ଝାରସୁଗୁଡ଼ାରେ ମଧ୍ୟ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ପୂର୍ବାନୁମାନ ଦିଆଯାଇଛି।

ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ରାତି ତାପମାତ୍ରା ୧୦ ଡିଗ୍ରୀରୁ ୧୨ ଡିଗ୍ରୀ ଭିତରେ ରହିପାରେ। ବୁଧବାର ୧୦ରୁ ଅଧିକ ସ୍ଥାନରେ ଶୀତ ଲହରୀ ରହିବ ବୋଲି ଆକଳନ ଦିଆଯାଇଥିଲା। କିନ୍ତୁ ଗୁରବାର ମାତ୍ର ୪ଟି ସ୍ଥାନରେ ଶୀତ ଲହରୀ ବହିବ ବୋଲି କୁହାଯାଇଛି। ରାଜ୍ୟର ୧୨ଟି ସହର ୧୦ ଡିଗ୍ରୀ ତଳେ ଥିଲା। ଜି ଉଦୟଗିରି ଓ ସେମିଳିଗୁଡ଼ାରେ ୫ ଡିଗ୍ରୀ, ଫୁଲବାଣୀରେ ୬.୫, ଝାରସୁଗୁଡ଼ାରେ ୭, ଚିପିଲିମାରେ ୭.୬, କିରେଇରେ ୮.୧, ଭବାନୀପାଟଣାରେ ୮.୮, ଅନୁଗୁଳ ଓ ଦାରିଙ୍ଗବାଡ଼ିରେ ୯, ରାଉରକେଲାରେ ୯.୧, ସୁନ୍ଦରଗଡ଼ରେ ୯.୨ ଓ ବଲାଙ୍ଗୀରରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିଥିଲା ।

ସେହିପରି ବୌଦ୍ଧରେ ୧୦.୫, କୋରାପୁଟରେ ୧୦.୭, ସୋନପୁରରେ ୧୦.୯, କେନ୍ଦୁଝରରେ ୧୧, ସମ୍ବଲପୁରରେ ୧୧.୪, ରାୟଗଡ଼ା ଓ ନୂଆପଡ଼ାରେ ୧୧.୬, ଟିଟିଲାଗଡ଼ରେ ୧୨.୬, ମାଲକାନଗିରିରେ ୧୨.୮ ଡିଗ୍ରୀ ଥିଲା । ଭୁବନେଶ୍ୱରରେ ୧୩ ଓ କଟକରେ ୧୨.୬ ଡିଗ୍ରୀ ରହିଥିଲା । ଝାରସୁଗୁଡ଼ାରେ ସ୍ୱାଭାବିକଠାରୁ ୬.୬ ଡିଗ୍ରୀ କମ୍ ରହିଥିଲା । ଭୁବନେଶ୍ୱରରେ ୨.୯, ଗୋପାଳପୁରରେ ୨.୬, ହୀରାକୁଦ, କୋରାପୁଟ ଓ କଟକରେ ସ୍ୱାଭାବିକଠାରୁ ୨ ଡିଗ୍ରୀ କମ୍ ରେକର୍ଡ ହୋଇଛି ।

Comments (0)
Add Comment