ନୂଆଦିଲ୍ଲୀ: ସୋମବାର ଦିନ ଭାରତୀୟ ସେନା ଏକ ଡ୍ରୋନକୁ ସର୍ବସାଧାରଣରେ ପ୍ରଦର୍ଶନ କରିଛି । ଭାରତୀୟ ସେନା ୫୪ତମ ବିଜୟ ଦିବସ ଉତ୍ସବରେ ତୁର୍କୀ ନିର୍ମିତ YIHA କାମିକାଜେ ଡ୍ରୋନ(Turkish kamikaze drone Yiiha)ପ୍ରଦର୍ଶନ କରିଥିଲା। ଏହି ଡ୍ରୋନକୁ ପାକିସ୍ତାନ ଅପରେସନ ସିନ୍ଦୂର ସମୟରେ ଭାରତୀୟ ସହରଗୁଡ଼ିକ ଉପରେ ଆକ୍ରମଣ ପାଇଁ ବ୍ୟବହାର କରିଥିଲା । ସେମାନଙ୍କର ଉଦ୍ଦେଶ୍ୟ ଥିଲା ଭାରତରେ ସାମରିକ ଏବଂ ନାଗରିକଙ୍କୁ ଟାର୍ଗେଟ କରିବା। ଆମ ଦେଶର ଭାରତୀୟ ସଶସ୍ତ୍ର ବାହିନୀ ଏହାକୁ ସଫଳତାପୂର୍ବକ ଖସାଇ ଦେଇଥିଲେ ।
ଦିଲ୍ଲୀରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ବାସଭବନରେ ଡ୍ରୋନକୁ ପ୍ରଦର୍ଶିତ କରାଯାଇଥିଲା। ଏହି ଡ୍ରୋନଟି ତୁର୍କୀରେ ନିର୍ମିତ ହୋଇଥିଲା ଏବଂ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବା ପାଇଁ ଏହାକୁ ବ୍ୟବହାର କରିଥିଲା।
୧୯୭୧ ଯୁଦ୍ଧରେ ପାକିସ୍ତାନ ବିରୁଦ୍ଧରେ ସର୍ବୋତ୍ତମ ବଳିଦାନ ଦେଇଥିବା ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ପ୍ରତିବର୍ଷ ଡିସେମ୍ବର ୧୬ ତାରିଖରେ ବିଜୟ ଦିବସ ପାଳନ କରାଯାଏ।
ଭାରତୀୟ ସେନା ଅଧିକାରୀଙ୍କ ଅନୁଯାୟୀ, କାର୍ଯ୍ୟକ୍ରମରେ ପ୍ରଦର୍ଶିତ ୟିହା ଡ୍ରୋନଟି ମେ ୧୦ ତାରିଖରେ ୨୦୦୦ ମିଟର ଉଚ୍ଚତାରେ ଉଡ଼ୁଥିଲା। ଏହାକୁ ଲାହୋର ଅନ୍ତର୍ଜାତୀୟ ବିମାନବନ୍ଦରରୁ ପ୍ରାୟ ୧୦ କିଲୋଗ୍ରାମ ଗୋଳାବାରୁଦ ସହିତ ଉଡ଼ାଣ କରାଯାଇଥିଲା। ଏହାର ଟାର୍ଗେଟ ଥିଲା ପଞ୍ଜାବର ଜଳନ୍ଧର ଅଞ୍ଚଳ। ଭାରତୀୟ ସେନାର ବାୟୁ ପ୍ରତିରକ୍ଷା ପ୍ରଣାଳୀ (AAD) ଦ୍ୱାରା ଡ୍ରୋନଟିକୁ ଖସାଇ ଦିଆଯାଇଥିଲା
।
ଏହି ରିମୋଟ୍-ନିୟନ୍ତ୍ରିତ ଡ୍ରୋନଟି ଲକ୍ଷ୍ୟସ୍ଥଳ ସହିତ ଧକ୍କା ହେବା ମାତ୍ରେ ବିସ୍ଫୋରଣ ହେବା ପାଇଁ ଡିଜାଇନ୍ କରାଯାଇଥିଲା। ଏଗୁଡ଼ିକୁ “କାମିକାଜେ” ଡ୍ରୋନ କୁହାଯାଏ କାରଣ ଏଗୁଡ଼ିକ ଏପରି ଅସ୍ତ୍ର ଯାହା ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ଉପରେ ଘୂରି ବୁଲେ ଓ ଆତ୍ମଘାତୀ ଆକ୍ରମଣ କରିବା ପୂର୍ବରୁ ଉପଯୁକ୍ତ ଲକ୍ଷ୍ୟ ଖୋଜି ଥାଏ । ୟିହା ଡ୍ରୋନକୁ ‘ଆତ୍ମଘାତୀ ଡ୍ରୋନ’ ଭାବରେ ବର୍ଗୀକୃତ କରାଯାଇଛି। ଏହି ଡ୍ରୋନ୍ଟି ୧୭୦ ସିସି ଦୁଇ-ଷ୍ଟ୍ରୋକ୍ ଇଞ୍ଜିନ୍ ଦ୍ୱାରା ଚାଳିତ। ଏହାର ଡେଣା ଦୁଇ ମିଟର ଥିଲା।
ଭାରତୀୟ ସେନା ନିଜର ଡ୍ରୋନ୍-ବିରୋଧୀ ପ୍ରଣାଳୀ ବ୍ୟବହାର କରି ବହୁ ସଂଖ୍ୟକ ଏହି କାମିକାଜେ ଡ୍ରୋନ୍ଗୁଡ଼ିକର ନଷ୍ଟ କରିଦେଇଛି।
୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ମେ ୭ ତାରିଖରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହି ଅପରେସନ ଅଧୀନରେ, ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ବଂସ କରାଯାଇଥିଲା । ଏହା ପରେ ଦୁଇ ଦେଶ ମଧ୍ୟରେ ଚାରି ଦିନ ଧରି ତୀବ୍ର ସାମରିକ ଉତ୍ତେଜନା ସୃଷ୍ଟି ହୋଇଥିଲା। ପାକିସ୍ତାନ ଯୁଦ୍ଧ ବନ୍ଦ କରିବାକୁ ଅନୁରୋଧ କରିବା ପରେ ଶେଷରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରାଯାଇଛି ।