ଏକାଠି ବସି ଶାସକ-ବିରୋଧୀ କଲେ ‘ଚାଏ ପେ ଚର୍ଚ୍ଚା’, ଭାଇରାଲ ହେଉଛି ଫଟୋ…

ନୂଆଦିଲ୍ଲୀ: ଶାସକ ଏବଂ ବିରୋଧୀ ଏକାଠି ବସି କଲେ ଆଲୋଚନା ।  ସଂସଦର ଶୀତକାଳୀନ ଅଧିବେଶନ ଶେଷ ହେବା ପରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଅଧିବେଶନ ଶେଷ ହେବା ପରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଶାସକ ଓ ବିରୋଧୀ ଦଳର ତମାମ ସାଂସଦମାନଙ୍କୁ ଏକାଠି ଗୋଟିଏ ସ୍ଥାନରେ ବସି ଚା ପିଉଥିବା ଏକ ଭିନ୍ନ ରାଜନୈତିକ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ସୂଚନା ଅନୁସାରେ ସଂସଦୀୟ ଅଧିବେଶନ ସମାପ୍ତ ହେବା ପରେ ପ୍ରଧାନମନ୍ତ୍ରୀ ଶାସକ ଦଳ ଏବଂ ବିରୋଧୀ ଦଳ ଉଭୟଙ୍କୁ ନିମନ୍ତ୍ରଣ କରି ଏକ ଚା ପାର୍ଟି ଆୟୋଜନ କରିବାର ପରମ୍ପରା ରହିଛି । ଏହାକୁ ସଂସଦୀୟ ଗଣତନ୍ତ୍ରରେ ଆଲୋଚନା ଏବଂ ସମନ୍ୱୟର ପ୍ରତୀକ ଭାବରେ ବିବେଚନା କରାଯାଏ ।ଚା ପେ ଚର୍ଚ୍ଚା ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ, କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ଲଲ୍ଲନ ସିଂହ, କିରଣ ରିଜିଜୁ, ଅର୍ଜୁନ ରାମ ମେଘୱାଲ, ଏନସିପି (ସପା) ସାଂସଦ ସୁପ୍ରିୟା ସୁଲେ, ସମାଜବାଦୀ ପାର୍ଟି ସାଂସଦ ରାଜୀବ ରାୟ, ଧର୍ମେନ୍ଦ୍ର ଯାଦବ ଏବଂ ଡିଏମକେ ସାଂସଦ ଏ ରାଜାଙ୍କ ସମେତ ଅନ୍ୟାନ୍ୟ ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ ।

ଏହି ସମୟରେ ସଂସଦର କାର୍ଯ୍ୟକାରିତା ଏବଂ ଅଧିବେଶନର କାର୍ଯ୍ୟଧାରା ସମ୍ପର୍କରେ ଚା ପିଇବା ବେଳେ ଅନୌପଚାରିକ ଆଲୋଚନା ହୋଇଥିଲା । ଏହି ସମୟର ଏକ ଫଟୋ ଏବଂ ଭିଡ଼ିଓ ସାମ୍ନାକୁ ଆସିଛି, ଯେଉଁଥିରେ ଶାସକ ଏବଂ ବିରୋଧୀ ଦଳର ଅନେକ ପ୍ରମୁଖ ନେତା ଗୋଟିଏ ସ୍ଥାନରେ ଥିବା ଦେଖି ବେଶ ଆଶ୍ଚର୍ଯ୍ୟ ହୋଇଥିଲେ ଜନତା ।

Comments (0)
Add Comment