ହରିଦ୍ୱାରରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ ଲାଗିପାରେ ରୋକ୍

ଡେରାଡୁନ: ହରିଦ୍ୱାର କୁମ୍ଭମେଳା ଅଞ୍ଚଳର ସମସ୍ତ ଧାର୍ମିକ ସ୍ଥଳ ଏବଂ ଗଙ୍ଗା ଘାଟରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ ରୋକ୍ ଲଗାଇପାରନ୍ତି ଉତ୍ତରାଖଣ୍ଡ ସରକାର।

ଏପରିକି ହରିଦ୍ୱାର ଏବଂ ଋଷିକେଶର ନଗର ନିଗମ ଅଞ୍ଚଳ ସମେତ ସମଗ୍ର କୁମ୍ଭ ମେଳାକୁ ଏକ ପବିତ୍ର ସନାତନ ନଗରୀ ଭାବେ ମଧ୍ୟ ଘୋଷଣା କରାଯାଇପାରେ।

ସୂଚନା ଅନୁଯାୟୀ, ସମସ୍ତ ଧାର୍ମିକ ସ୍ଥଳ ଏବଂ କୁମ୍ଭ ମେଳା କ୍ଷେତ୍ର ମଧ୍ୟରେ ଥିବା ୧୦୫ଟି ଗଙ୍ଗା ଘାଟରେ ଅଣହିନ୍ଦୁଙ୍କ ପ୍ରବେଶକୁ ବ୍ୟାନ କରାଯାଇପାରେ। ହରିଦ୍ୱାରର ହର କି ପାଉରୀ ଏବଂ ଆଖପାଖ ଗଙ୍ଗା ଘାଟ ପରିଚାଳନା କରୁଥିବା ଶ୍ରୀ ଗଙ୍ଗା ସଭା ସମ୍ପ୍ରତି ଏଭଳି ଦାବି ଉଠାଇଛି। ଯାହା ଫଳରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହା ଉପରେ ବିଚାର ବିମର୍ଶ କରୁଥିବା ଜଣାପଡିଛି।

ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ହରିଦ୍ୱାର ମାତା ଗଙ୍ଗା ଏବଂ ସନ୍ଥମାନଙ୍କ ପାଇଁ ଏକ ପବିତ୍ର ସ୍ଥାନ। ସେଥିପାଇଁ ଏହି ଦାବିକୁ ଗମ୍ଭୀରତାର ସହିତ ବିଚାର କରାଯାଉଛି। ହରିଦ୍ୱାର ଅଞ୍ଚଳର ପବିତ୍ରତା, ଆଧ୍ୟାତ୍ମିକତା ଏବଂ ବିଶ୍ୱାସ ବଜାୟ ରଖିବା ପାଇଁ ସମସ୍ତ ଦିଗକୁ ଅଧ୍ୟୟନ କରାଯାଉଛି ଏବଂ ଏହି ସମ୍ପର୍କରେ ପୁରୁଣା ନିୟମାବଳୀ ମଧ୍ୟ ଯାଞ୍ଚ କରାଯାଉଛି।

Comments (0)
Add Comment