ହକି ଇଣ୍ଡିଆ ଲିଗ୍‌-୨୦୨୬: ଚମକିଲେ ଓଡ଼ିଶା ନାଭାଲ୍ ଟାଟା ହକି ଏଚ୍‌‌ପିସି କ୍ୟାଡେଟ୍‌‌‌

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗ୍ (ଏଚ୍‌‌ଆଇଏଲ୍‌‌) ୨୦୨୬ରେ ଓଡ଼ିଶା ନାଭାଲ୍ ଟାଟା ହକି ହାଇ ପରଫର୍ମାନ୍ସ ସେଣ୍ଟର (ଓଏନ୍‌‌ଟିଏଚ୍‌‌ଏଚ୍‌‌ପିସି)ର କ୍ୟାଡେଟ୍‌‌‌ମାନେ ଚମତ୍କାର କ୍ରୀଡ଼ା ପ୍ରଦଶର୍ନ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

ଏଚ୍‌‌ଆଇଏଲ୍‌‌ର ଏହି ସିଜିନରେ ଏକାଡେମୀର ମୋଟ ୮ ଜଣ ଖେଳାଳି ବିଭିନ୍ନ ଫ୍ରାଞ୍ଚାଇଜ୍ ପକ୍ଷରୁ ପ୍ରତିନିଧିତ୍ୱ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ପଦକ ଜିତିବାରେ ସଫଳ ହୋଇଛନ୍ତି।

ଚଳିତ ସିଜିନର ଚାମ୍ପିୟନ ‘ବେଦାନ୍ତ କଳିଙ୍ଗ ଲାନ୍ସର୍ସ’ ଦଳରେ ଓଏନ୍‌‌ଟିଏଚ୍‌‌ଏଚ୍‌‌ପିସିର ତିନି ପ୍ରତିଭାବାନ କ୍ୟାଡେଟ୍ ରୋହିତ କୁଲୁ, ଦୀପକ ପ୍ରଧାନ ଏବଂ ରୋଶନ କୁଜୁର ସାମିଲ ଥିଲେ। ଏଥିସହିତ ରନର୍ସ ଅପ୍ ଦଳ ‘ରାଞ୍ଚି ରୟାଲ୍ସ’ ପକ୍ଷରୁ ଅନମୋଲ ଏକ୍କା ଏବଂ କାଂସ୍ୟ ପଦକ ବିଜେତା ‘ହାଇଦ୍ରାବାଦ ତୁଫାନ୍ସ’ ପକ୍ଷରୁ ଇରେଙ୍ଗବାମ ରୋହିତ ସିଂ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ।

ଅଦ୍ରୋହିତ ଏକ୍କା ‘ତାମିଲନାଡୁ ଡ୍ରାଗନ୍ସ’ ପକ୍ଷରୁ ଖେଳି ହକି ଇଣ୍ଡିଆ ଲିଗ୍‌‌ରେ ନିଜର ପ୍ରଥମ ଗୋଲ୍ ସ୍କୋର କରିଛନ୍ତି । ସେହିପରି ଗୋଲକିପର ବିବେକ ଲାକ୍ରା ‘ଶ୍ରାଚୀ ବେଙ୍ଗଲ ଟାଇଗର୍ସ’ ପକ୍ଷରୁ ଖେଳି ସେ ଏଚ୍‌‌ଆଇଏଲ୍ ଇତିହାସରେ ସବୁଠାରୁ କମ୍ ବୟସ୍କ ଖେଳାଳି ଭାବେ ରେକର୍ଡ କଣ୍ଟ୍ରାକ୍ଟ କରି ଇତିହାସ ରଚିଛନ୍ତି। ପ୍ରଦୀପ ମଣ୍ଡଳ ଜେଏସ୍‌‌ଡବ୍ଲ୍ୟୁ ସୁରମା ହକି କ୍ଲବ’ ପକ୍ଷରୁ ଖେଳି ଏକାଡେମୀର ଗୌରବ ବଢ଼ାଇଛନ୍ତି।

ଏହି ସଫଳତା ସମ୍ପର୍କରେ ଓଏନ୍‌‌ଟିଏଚ୍‌‌ଏଚ୍‌‌ପିସିର ପ୍ରୋଜେକ୍ଟ ଡିରେକ୍ଟର ଗୁରମିତ ସିଂ ରାଓ କହିଛନ୍ତି, “ଆମ କ୍ୟାଡେଟ୍‌‌‌ମାନେ କଠିନ ପରିସ୍ଥିତିରେ ଯେଭଳି ପ୍ରଦର୍ଶନ କରିଛନ୍ତି, ତାହା ସମଗ୍ର ଏକାଡେମୀ ପାଇଁ ଏକ ଗର୍ବର ବିଷୟ। ଶୃଙ୍ଖଳିତ ପ୍ରଶିକ୍ଷଣ ଏବଂ କୋଚ୍‌‌, ଖେଳାଳି ଓ ସପୋର୍ଟ ଷ୍ଟାଫ୍‌‌ଙ୍କ କଠିନ ପରିଶ୍ରମ ଯୋଗୁ ଆଜି ସେମୋନ ଜାତୀୟସ୍ତରରେ ପରିଚୟ ପାଇପାରିଛନ୍ତି।

ହକି ଇଣ୍ଡିଆ ଲିଗରେ କ୍ୟାଡେଟ୍‌‌‌ଙ୍କ ଏହି ସଫଳତା ପାଇଁ ଓଏନ୍‌‌ଟିଏଚ୍‌‌ଏଚ୍‌‌ପିସି ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏଭଳି ଏକ ଉଚ୍ଚସ୍ତରୀୟ ପ୍ରତିଯୋଗିତାମୂଳକ ମଞ୍ଚ ପ୍ରଦାନ କରିଥିବାରୁ ଏଚ୍‌‌ଆଇଏଲ୍ ଫ୍ରାଞ୍ଚାଇଜ୍‌‌‌ ସମୂହକୁ ସାଧୁବାଦ ଜଣାଯାଇଛି।

Comments (0)
Add Comment