ଭୁବନେଶ୍ବର:ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପର୍ଯ୍ୟଟନ କାରାଭାନକୁ ଲୋକାର୍ପିତ କରିଛନ୍ତି । ଶାନ୍ତିସ୍ତୂପ ଧଉଳି ଠାରେ ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାରାଭାନ ମାଧ୍ୟମରେ ନିଜ ସ୍ବଚ୍ଛନ୍ଦରେ ପର୍ଯ୍ୟଟକମାନେ ଭ୍ରମଣ କରିବାର ମଜା ନେଇପାରିବେ । ନିଜେ କିମ୍ବା ନିଜ ପରିବାର ଓ ବନ୍ଧୁମାନଙ୍କ ସହ ବିଭିନ୍ନ ସ୍ଥାନକୁ ଯାଇ ସେଠାକାର ଖାଦ୍ୟପେୟ, ସଂସ୍କୃତି ଏବଂ ପର୍ଯ୍ୟଟନ ସ୍ଥଳୀ ଭ୍ରମଣ କରିବାର ସୁଯୋଗ ପାଇପାରିବେ ।
ଏହାକୁ ଉଦଘାଟନ କରି ପ୍ରଭାତୀ ପରିଡା କହିଲେ ଯେ ଏହି କାରାଭାନ୍ ଟୁରିଜିମ୍ ୟୁରୋପୀୟ ଦେଶରେ ମଧ୍ୟ ଖୁବ୍ ଲୋକପ୍ରିୟ ଏବଂ ଏ କ୍ଷେତ୍ରରେ ଆମର ଅନନ୍ୟ ପ୍ରୟାସ ଯୁବ ପର୍ଯ୍ୟଟକ ଏବଂ ଦୁଃସାହସିକ ଏବଂ ପ୍ରକୃତି ଆଧାରିତ ପର୍ଯ୍ୟଟକପ୍ରେମୀଙ୍କୁ ଆକର୍ଷିତ କରିବ । ଏହି କାରାଭାନ୍ ଯାତ୍ରା ବିଶେଷ ଭାବରେ ଶାନ୍ତ, କମନୀୟ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥାନଗୁଡ଼ିକରେ ନୂତନ ଅଭିଜ୍ଞତା ଆଣିଦେବ ବୋଲି ସେ କହିଛନ୍ତି ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭୁବନେଶ୍ବର-ଏକାମ୍ର ବିଧାୟକ ବାବୁ ସିଂ କହିଲେ ଯେ ଏହାଦ୍ବାରା ପର୍ଯ୍ୟଟନ କ୍ଷେତ୍ର ପରିବ୍ୟାପ୍ତ ହେବା ସହ ସୁଖଦ ଓ ସୁରକ୍ଷିତ ଯାତ୍ରା ଲକ୍ଷ୍ୟ ହାସଲ ଦିଗରେ ସହାୟକ ହୋଇପାରିବ । ସରକାରଙ୍କ ଏହି ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ ।