ଭିତ୍ତିଭୂମି ନିର୍ମାଣରେ ଓଡ଼ିଶା ତୁଳନାରେ ଆଗୁଆ ଅଛି ଆନ୍ଧ୍ର: ବିଦ୍ୟୁତ ରିପୋର୍ଟ

ଭୁବନେଶ୍ୱର: ଜନସଂଖ୍ୟା ଓ କ୍ଷେତ୍ରଫଳରେ ଓଡିଶା ଓ ଆନ୍ଧ୍ର ପ୍ରାୟ ସମାନ। ଓଡିଶାର ଜନସଂଖ୍ୟା ୪୬.୪୫ ନିୟୁତ ଏବଂ ଆନ୍ଧ୍ରର ୫୩.୨୬ ନିୟୁତ । ସେହିପରି କ୍ଷେତ୍ରଫଳରେ ଦୁଇ ପଡୋଶୀ ରାଜ୍ୟ ଓଡିଶା ଓ ଆନ୍ଧ୍ର ଯଥାକ୍ରମେ ୧.୫୬ ଲକ୍ଷ ବର୍ଗ କିଲାମିଟର ଓ ୧.୬୩ ଲକ୍ଷ ବର୍ଗ କିଲାମିଟର । କିନ୍ତୁ ବିଦ୍ୟୁତ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଓଡ଼ିଶା ତୁଳନାରେ ଆଗୁଆ ଅଛି ଆନ୍ଧ୍ର। ଓଡିଶା ତୁଳନାରେ ଆନ୍ଧ୍ର ୨ ଗୁଣରୁ ଅଧିକ। ସେଥିପାଇଁ ଆନ୍ଧ୍ରର ବିଦ୍ୟୁତ ଉପଭୋକ୍ତା ସଂଖ୍ୟା ଓ ମୁଣ୍ଡପିଛା ବିଦ୍ୟୁତ ବ୍ୟବହାର ଓଡ଼ିଶା ତୁଳନାରେ ୨ଗୁଣରୁ ଅଧିକ।

ମୁଣ୍ଡପିଛା ଆୟ କ୍ଷେତ୍ରରେ ଓଡିଶାର ମାତ୍ର ୧.୮୩ ଲକ୍ଷ ଟଙ୍କା ଥିବାବେଳେ ଆନ୍ଧ୍ରର ୨.୬୯ ଲକ୍ଷ ଟଙ୍କା ଓ ଭାରତର ପ୍ରାୟ ୨ ଲକ୍ଷ ଟଙ୍କା ରହିଛି । କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ (ସିଇଏ) ସଦ୍ୟ ପ୍ରକାଶ କରିଥିବା ସର୍ବଭାରତୀୟ ବିଦ୍ୟୁତ ତଥ୍ୟ ରିପାର୍ଟ ୨୦୨୩-୨୪ ଅନୁସାରେ ଓଡିଶାର ସର୍ବମୋଟ ୪.୫୬ ଲକ୍ଷ କିଲୋମିଟର (କିମି) ବିଦ୍ୟୁତ ଲାଇନ ଥିବା ବେଳେ ଆନ୍ଧ୍ରରେ ରହିଛି ୭.୧୩ ଲକ୍ଷ କିମି ।

ବିଦ୍ୟୁତ ବିତରଣ କ୍ଷେତ୍ରରେ ଓଡିଶା ୧୬୩୨୦ ଏମଭିଏ କ୍ଷମତାର ସମୁଦାୟ ୩.୦୭ ଲକ୍ଷ ଟ୍ରାନ୍ସଫର୍ମର ସ୍ଥାପନ କରିଥିବା ବେଳେ ଆନ୍ଧ୍ର ସ୍ଥାପନ କରିଛି ୪୫୪୭୮ ଏମଭିଏ କ୍ଷମତାର ୧୩.୯୫ ଲକ୍ଷ ଟ୍ରାନ୍ସଫର୍ମର। ୩୩ କେଭି ଲାଇନ କ୍ଷେତ୍ରରେ ଓଡିଶା ସମୁଦାୟ ୧୭୨୩୨ କିମି ନିର୍ମାଣ କରିଥିବା ବେଳେ ଆନ୍ଧ୍ର ନିର୍ମାଣ କରିଛି ୩୦୪୮୫ କିମି । ସେହିପରି ୧୧ କେଭି ଲାଇନ କ୍ଷେତ୍ରରେ ଓଡିଶା ସମୁଦାୟ ୧.୭୯ ଲକ୍ଷ କିମି ନିର୍ମାଣ କରିଥିବାବେଳେ ଆନ୍ଧ୍ର ନିର୍ମାଣ କରିଛି ୨.୮୩ ଲକ୍ଷ କିମି । ଏଲଟି ଲାଇନ କ୍ଷେତ୍ରରେ (୫୦୦ ଭାଲ୍ଟ ମଧ୍ୟରେ) ଓଡିଶା ସମୁଦାୟ ୨.୩୧ ଲକ୍ଷ କିମି ନିର୍ମାଣ କରିଥିବାବେଳେ ଆନ୍ଧ୍ର ୩.୪୪ ଲକ୍ଷ କିମି କରିଛି ।

ଆନ୍ଧ୍ର ସମୁଦାୟ ୨୨୬୬୯ କିମି ୬.୬/୪.୪ କେଭି ଲାଇନ ନିର୍ମାଣ କରିଥିବା ବେଳେ ଓଡିଶାରେ ଆଦୌ ହୋଇନାହିଁ ବୋଲି ରିପୋର୍ଟ ଉଲ୍ଲେଖ କରିଛି। ଏ ସମ୍ପର୍କରେ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଛନ୍ତି, ଆନ୍ଧ୍ରର ବିଦ୍ୟୁତ ବିତରଣ ଓ ସଞ୍ଚାରଣ କ୍ଷମତା ଓଡିଶା ଠାରୁ ଢେର ଅଧିକ ଥିବାରୁ ଆନ୍ଧ୍ରର ଉପଭୋକ୍ତା ସଂଖ୍ୟା ଓ ମୁଣ୍ଡପିଛା ବିଦ୍ୟୁତ ବ୍ୟବହାର ଓଡିଶାର ୨ଗୁଣରୁ ଅଧିକ ହୋଇଛି ।

Comments (0)
Add Comment