ଭୁବନେଶ୍ବର: ସଡ଼କ ଦୁର୍ଘଟଣା ଓ ସଡ଼କ ଦୁର୍ଘଟଣା ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ପରିବହନ ବିଭାଗ ଦ୍ୱାରା ହେବ ସ୍ୱତନ୍ତ୍ର ଅଭିଯାନ । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (RTO) ଏବଂ ଅତିରିକ୍ତ RTOଙ୍କୁ ଏସଂକ୍ରାନ୍ତରେ ନିର୍ଦ୍ଦେଶ ଜାରି କରିଛି ରାଜ୍ୟ ପରିବହନ ପ୍ରାଧିକରଣ । ସଡ଼କ ସୁରକ୍ଷା ନିୟମ ଅନୁପାଳନକୁ ଅଧିକ କଡ଼ାକଡ଼ି କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆସନ୍ତା ମାର୍ଚ୍ଚ ୨୧ ରୁ ୩୧ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏହି ଅଭିଯାନ କରାଯିବ ।
ବିଭିନ୍ନ ସଡ଼କ ଦୁର୍ଘଟଣା ଓ ମୃତ୍ୟୁର ଅନୁସନ୍ଧାନ ଓ ତଥ୍ୟରୁ ଏହା ସ୍ପଷ୍ଟ ହେଉଛି, ଅତ୍ୟଧିକ ବେଗରେ ଗାଡ଼ି ଚଳାଇବା, ମଦ୍ୟପାନ କରି ଡ୍ରାଇଭିଂ କରିବା, ବିନା ହେଲମେଟରେ ବାଇକ୍ ଚଳାଇବା, ଭୁଲ୍ ଦିଗରେ ଗାଡ଼ି ଚଳାଇବା ଏବଂ ଓଭରଲୋଡିଂ ଭଳି ନିୟମ ଉଲ୍ଲଙ୍ଘନ ଯୋଗୁଁ ଦୁର୍ଘଟଣାର ଆଶଙ୍କା ବୃଦ୍ଧି ପାଉଛି । ତେଣୁ ନିୟମ ଉଲ୍ଲଙ୍ଘନ କରି ନିଜ ସହ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ଜୀବନ ବିପଦରେ ପକାଉଥିବା ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ଉଭୟ ସଚେତନତା ଓ ଏନଫୋର୍ସମେଣ୍ଟ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।
ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ଦୁର୍ଘଟଣାପ୍ରବଣ ସ୍ଥାନ, ଜାତୀୟ ଓ ରାଜ୍ୟ ରାଜପଥ, ଖଣି ଓ ଶିଳ୍ପାଞ୍ଚଳ, ସହର ଓ ଗାଁର ମୁଖ୍ୟ ରାସ୍ତା, ପ୍ରମୁଖ ଛକ, ବଜାର ଅଞ୍ଚଳ ଏବଂ ବସ୍ ଷ୍ଟାଣ୍ଡ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ କରାଯିବ । ଦ୍ରୁତଗତି, ମଦ୍ୟପାନ କରି ଗାଡ଼ି ଚଳାଇବା, ବିନା ହେଲମେଟରେ, ଭୁଲ୍ ଦିଗରେ ଗାଡ଼ି ଚଲାଇବା, ଓଭରଲୋଡିଂ, ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ, ବୈଧ ଡ୍ରାଇଭିଂ ଲାଇସେନ୍ସ ବିନା ଗାଡ଼ି ଚଳାଇବା, ନାବାଳକ ଗାଡ଼ି ଚାଳନା, ଦୁଇ ଚକିଆରେ ଦୁଇରୁ ଅଧିକ ଯିବା ଏବଂ ଅନ୍ୟାନ୍ୟ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ବିରୋଧରେ କଡ଼ାକଡ଼ି ଯାଞ୍ଚ କରାଯିବ । ଏହା ସହିତ ଖଣି ଏବଂ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଟିପ୍ପର, ଡମ୍ପର, ହାଇୱା ଏବଂ ଅନ୍ୟାନ୍ୟ ଭାରୀ ଯାନଗୁଡ଼ିକର ଡ୍ରାଇଭିଂ ଲାଇସେନ୍ସ, ଓଭରଲୋଡିଂ ଏବଂ ଅନ୍ୟାନ୍ୟ ଆଇନଗତ ନିୟମର ଅନୁପାଳନ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯିବ । ଏହି ଅଭିଯାନକୁ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରିବା ପାଇଁ ପରିବହନ ବିଭାଗ ଦ୍ୱାରା ଜିଲ୍ଲା ପ୍ରଶାସନ ଓ ପୋଲିସ ସହଭାଗିତାରେ ଏହି ଅଭିଯାନ କରାଯିବ ।
ଏନଫୋର୍ସମେଣ୍ଟ ସହିତ ଏହି ସମୟ ମଧ୍ୟରେ ବିଭିନ୍ନ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ । ହେଲମେଟ୍, ସିଟବେଲ୍ଟ ସଚେତନତା, ଦ୍ରୁତଗତିର ଭୟାବହତା ଇତ୍ୟାଦି ସଂପର୍କରେ ସଡ଼କ ବ୍ୟବହାରକାରୀଙ୍କୁ ବୁଝାଯିବ ।ସେହିଭଳି ରକ୍ତଦାନ ଶିବିର, ଚକ୍ଷୁ ପରୀକ୍ଷା ଶିବିର, ଚାଳକ ଓ ଯାତ୍ରୀଙ୍କ ପାଇଁ ସଡ଼କ ସୁରକ୍ଷା ପରାମର୍ଶ କାର୍ଯ୍ୟକ୍ରମ, ଗାଡ଼ି ମାଲିକ ସଂଘ ଓ ପରିବହନ ୟୁନିଅନ ସହିତ ଆଲୋଚନା ଏବଂ ଶିକ୍ଷାନୁଷ୍ଠାନ ତଥା ସାର୍ବଜନୀନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ । ବ୍ୟାନର, ଲିଫଲେଟ୍, ସର୍ବସାଧାରଣ ଘୋଷଣା ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଦାୟିତ୍ୱବାନ ଭାବେ ଗାଡ଼ି ଚଳାଇବା ପାଇଁ ବାର୍ତ୍ତା ପ୍ରସାର କରାଯିବ । ସଡ଼କ ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ଆହ୍ୱାନ- ସୁରକ୍ଷିତ ଭାବରେ ଘରକୁ ଫେରନ୍ତୁ ବା କମ୍ ହୋମ୍ ସେଫ୍ ର ଗୁରୁତ୍ୱକୁ ବୁଝାଇବା ଉପରେ ପ୍ରାଥମିକତା ଦିଆଯାଇଛି ।
ଏହି ଅଭିଯାନ ଅବସରରେ ରାଜ୍ୟ ପରିବହନ ପ୍ରାଧିକରଣ, ଓଡ଼ିଶା ସମସ୍ତ ସଡ଼କ ବ୍ୟବହାରକାରୀଙ୍କୁ ଟ୍ରାଫିକ ନିୟମ ପାଳନ କରିବାକୁ ଏବଂ ସମସ୍ତଙ୍କ ପାଇଁ ସଡ଼କକୁ ସୁରକ୍ଷିତ କରିବାରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ।
ସଡ଼କ ସୁରକ୍ଷା ଅଭିଯାନ ଏହ ସାମୂହିକ ଦାୟିତ୍ୱ । ଏହା ଜୀବନ ରକ୍ଷାର ଏକ ମହତ ଅଭିଯାନ । ତେଣୁ ନିୟମ ପାଳନ କରି ସୁରକ୍ଷିତ ଭାବରେ ଘରକୁ ଫେରିବାକୁ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।