ଅକ୍ଷୟ ପାତ୍ର ଫାଉଣ୍ଡେସନର ୨୫ତମ ବର୍ଷପୂର୍ତ୍ତି ସମାରୋହ
*ପ୍ରତ୍ୟେକ ଶିଶୁଙ୍କ ପାଖରେ ପୁଷ୍ଟିକର ଆହାର ପହଞ୍ଚାଇବା ସାମୂହିକ ଦାୟିତ୍ୱ – ଧର୍ମେନ୍ଦ୍ର ପ୍ରଧାନ*
• ମାନ୍ୟବର ରାଷ୍ଟ୍ରପତିଙ୍କ ମାର୍ଗଦର୍ଶନ ପାଇଁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ
• ଅକ୍ଷୟ ପାତ୍ର ଫାଉଣ୍ଡେସନର ୫ ଶହ କୋଟି ଭୋଜନ ଲକ୍ଷ୍ୟ ହାସଲ ଅବସରରେ ଶୁଭେଚ୍ଛା ଜଣାଇଲେ
• ଶିଶୁମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବା ଆମର ସାମୂହିକ ଜାତୀୟ ଦାୟିତ୍ୱ
• ‘ଜାତୀୟ ଶିକ୍ଷା ନୀତି ୨୦୨୦’ ଏବଂ ‘ପିଏମ୍ ପୋଷଣ’ ଯୋଜନା ଉପରେ ଗୁରୁତ୍ୱାରୋପ
• ପ୍ରତ୍ୟେକ ଶିଶୁଙ୍କ ପାଖରେ ପୁଷ୍ଟିକର ଆହାର ପହଞ୍ଚାଇବା ବିକଶିତ ଭାରତ-୨୦୪୭ର ସଂକଳ୍ପକୁ ପୂରଣ କରିବ
ନୂଆଦିଲ୍ଲୀ/ଭୁବନେଶ୍ୱର, ୧୭ ମାର୍ଚ୍ଚ – ଭାରତର ମାନନୀୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନ କଲଚୁରାଲ ସେଣ୍ଟର ଠାରେ ଅକ୍ଷୟ ପାତ୍ର ଫାଉଣ୍ଡେସନର ୨୫ତମ ବର୍ଷପୂର୍ତ୍ତି ଏବଂ ୫ ଶହ କୋଟି ଭୋଜନ ପରିବେଷଣର ଗୌରବମୟ ମାଇଲଖୁଣ୍ଟ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ମଣ୍ଡିତ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାନ୍ୟବର ରାଷ୍ଟ୍ରପତିଙ୍କ ବକ୍ତବ୍ୟକୁ ଦୋହରାଇ କହିଛନ୍ତି ଯେ, ଶିଶୁମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବା ଆମର ସାମୂହିକ ଜାତୀୟ ଦାୟିତ୍ୱ। ପୁଷ୍ଟିକର ଖାଦ୍ୟ ହିଁ ଭାରତର ମାନବ ପୁଞ୍ଜିର ମୂଳଦୁଆ । ଅକ୍ଷୟ ପାତ୍ରର ଏହି ଅଭିଯାନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ମହାପ୍ରସାଦ’ ପରମ୍ପରା ଏବଂ ଭାରତୀୟ ସଭ୍ୟତାର ‘ସେବା’ ମନୋଭାବ ଉପରେ ପର୍ଯ୍ୟବସିତ । ଏହା ଶ୍ରଦ୍ଧା ଓ ବିଶ୍ୱାସକୁ ଏକ ସୁସଂଗଠିତ ଜନସେବାରେ ରୂପାନ୍ତରିତ କରିବାର ଏକ ଅନନ୍ୟ ଉଦାହରଣ । ଏ.ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ଦର୍ଶନ ଏବଂ ଶ୍ରୀ ମଧୁ ପଣ୍ଡିତ ଦାସ ଓ ଶ୍ରୀ ଚଞ୍ଚଳାପତି ଦାସଙ୍କ ନେତୃତ୍ୱରେ ଏହି ଅନୁଷ୍ଠାନ ଆଜି ବିଶ୍ୱ ପାଇଁ ଏକ ଆଦର୍ଶ ପାଲଟିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ଜାତୀୟ ଶିକ୍ଷା ନୀତି ୨୦୨୦’ ଏବଂ ‘ପିଏମ୍ ପୋଷଣ’ ଯୋଜନାର ସଫଳ ସମନ୍ୱୟ ଦ୍ୱାରା ଶ୍ରେଣୀଗୃହର କ୍ଷୁଧା ମେଣ୍ଟାଯିବା ସହ ପିଲାଙ୍କ ସ୍କୁଲରେ ସ୍ଥିତି ଓ ସର୍ବାଙ୍ଗୀନ ବିକାଶ ସମ୍ଭବ ହୋଇପାରୁଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରତ୍ୟେକ ଶିଶୁଙ୍କ ପାଖରେ ପୁଷ୍ଟିକର ଆହାର ପହଞ୍ଚାଇବା ଦ୍ୱାରା ଆମେ ଏକ ସଶକ୍ତ ଭାରତ ଗଠନ କରୁଛୁ, ଯାହା ବିକଶିତ ଭାରତ-୨୦୪୭ର ସଂକଳ୍ପକୁ ସିଦ୍ଧ କରିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
***