ଅଶ୍ଳୀଳତାରେ ଭରପୁର ‘ସରକେ ଚୁନର’

ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ ନୋରା ଫତେହି ଏବଂ ସୁପରଷ୍ଟାର ସଞ୍ଜୟ ଦତ୍ତ ଏବେ ଅଡୁଆରେ। ଆଗାମୀ ଫିଲ୍ମ ‘କେଡି: ଦ ଡେଭିଲ୍’ର ଏକ ଗୀତ ‘ସରକେ ଚୁନର’କୁ ନେଇ ଦେଖାଦେଇଛି ତୀବ୍ର ବିବାଦ। ଏହି ଗୀତରେ ଅଶ୍ଳୀଳତା ଏବଂ ଅସଦାଚରଣ ଥିବା ଅଭିଯୋଗ କରି ଜାତୀୟ ମହିଳା କମିଶନ ନିଜ ଆଡୁ ମାମଲା ଗ୍ରହଣ କରିଛନ୍ତି ଏବଂ ସମ୍ପୃକ୍ତ କଳାକାରଙ୍କୁ ସମନ୍ ଜାରି କରିଛନ୍ତି। ‘ସରକେ ଚୁନର’ ଗୀତରେ ପ୍ରଦର୍ଶିତ ଦୃଶ୍ୟ ଗୁଡ଼ିକୁ ନେଇ ବିଭିନ୍ନ ମହଲରେ ଆପତ୍ତି ଉଠିଥିଲା । ଏହି ଘଟଣାରେ ଜାତୀୟ ମହିଳା କମିଶନ, ଅଭିନେତ୍ରୀ ନୋରା ଫତେହି, ଅଭିନେତା ସଞ୍ଜୟ ଦତ୍ତ, ଗୀତିକାର ରକିବ୍ ଆଲମ୍, ପ୍ରଯୋଜକ ଭେଙ୍କଟ କେ. ନାରାୟଣ ଏବଂ ନିର୍ଦ୍ଦେଶକ କିରଣ କୁମାରଙ୍କୁ ସମନ୍ ପଠାଇଛନ୍ତି।

ଏହି ଗୀତଟି ଯୌନ ଉତ୍ତେଜକ ଏବଂ ଅତ୍ୟନ୍ତ ଆପତ୍ତିଜନକ ବୋଲି କମିଶନ ଅଭିଯୋଗ କରିଛନ୍ତି । ଏହା ଭାରତୀୟ ନ୍ୟାୟ ସଂହିତା, ଆଇଟି ଆକ୍ଟ ଏବଂ ପୋକ୍ସୋ ଆକ୍ଟର ନିୟମକୁ ଉଲ୍ଲଂଘନ କରୁଛି। ଆସନ୍ତା ମାର୍ଚ୍ଚ ୨୪ ତାରିଖ ମଧ୍ୟାହ୍ନ ୧୨:୩୦ ସୁଦ୍ଧା ସମସ୍ତଙ୍କୁ ଆବଶ୍ୟକ ଦସ୍ତାବିଜ ସହ କମିଶନଙ୍କ ସାମ୍ନାରେ ହାଜର ହେବାକୁ କୁହାଯାଇଛି। ଯଦି ସେମାନେ ଅନୁପସ୍ଥିତ ରହନ୍ତି, ତେବେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଅନ୍ୟପଟେ, ଜାତୀୟ ମାନବାଧିକାର କମିଶନ ମଧ୍ୟ ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। NHRC ପକ୍ଷରୁ ସେନସର ବୋର୍ଡ, ଆଇଟି ମନ୍ତ୍ରାଳୟ, ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏବଂ ଗୁଗଲ୍ ଇଣ୍ଡିଆକୁ ନୋଟିସ୍ ଜାରି କରାଯାଇଛି। ବିବାଦ ବଢ଼ିବା ପରେ ଫିଲ୍ମ ନିର୍ମାତାମାନେ ଏହି ଗୀତକୁ ୟୁଟ୍ୟୁବ୍‌ରୁ ହଟାଇ ଦେଇଛନ୍ତି। ‘କେଡି: ଦ ଡେଭିଲ୍’ ଫିଲ୍ମର ଏହି ଗୀତଟିକୁ ଗାୟିକା ମଙ୍ଗଲି ଗାଇଥିବା ବେଳେ ଅର୍ଜୁନ ଜନ୍ୟା ଏଥିରେ ସଙ୍ଗୀତ ଦେଇଛନ୍ତି।

Comments (0)
Add Comment