ବ୍ରିକ୍ସରେ ପ୍ରଧାନମନ୍ତ୍ରୀ ମୋଦି

ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଓ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ରାଷ୍ଟ୍ର ସମୂହ ବ୍ରିକ୍ସର ପଞ୍ଚଦଶ ସମ୍ମିଳନୀ ମଙ୍ଗଳବାର ଜୋହାନ୍ସବର୍ଗରେ ଆରମ୍ଭ ହୋଇଛି। ୩ ଦିନ ଧରି ଚାଲିବାକୁ ଥିବା ଏହି ସମିଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ଏହି ଅବସରରେ ସେ ଅନେକ ବିଶ୍ୱନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।
ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କ ନିମନ୍ତ୍ରଣକ୍ରମେ ମୋଦି ଜୋହାନ୍ସବର୍ଗ ଗସ୍ତରେ ଅଛନ୍ତି। ୨୦୧୯ ପରେ ଏହା ହେଉଛି ବ୍ରିକ୍ସର ପ୍ରଥମ ଇନ୍‌-ପର୍ସନ ସମିଟ୍‌। କୋଭିଡ୍‌-୧୯ ମହାମାରୀ ଯୋଗୁ ଗତ ୩ ବର୍ଷ ଧରି ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଆସିଥିଲା। ୩ ମହାଦେଶରୁ ଆସୁଥିବା ବ୍ରିକ୍ସ ରାଷ୍ଟ୍ରଗୁଡ଼ିକରେ ବିଶ୍ୱର ୪୧% ଜନସଂଖ୍ୟା, ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୨୪% ଏବଂ ବୈଶ୍ୱିକ ବାଣିଜ୍ୟର ୧୬% ରହିଥିବାରୁ ଏହି ସମ୍ମଳିନୀ ଉପରେ ଅନ୍ତର୍ଜାତୀୟ ସମୁଦାୟର ନଜର ରହିଛି। ଆଫ୍ରିକୀୟ ଓ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକର ପ୍ରାୟ ୨୦ ରାଷ୍ଟ୍ରମୁଖ୍ୟଙ୍କୁ ମଧ୍ୟ ବ୍ରିକ୍ସକୁ ନିମନ୍ତ୍ରଣ କରାଯାଇଛି। ସେହି ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ଅନେକେ ବ୍ରିକ୍ସ ସଦସ୍ୟ ହେବା ପଇଁ ଆବେଦନ କରିଛନ୍ତି, ଯାହାକି ଉକ୍ତ ସମ୍ମିଳନୀର ଅନ୍ୟତମ ପ୍ରମୁଖ ଏଜେଣ୍ଡା।
ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରିପ୍ରେକ୍ଷୀରେ ବିଶ୍ୱବ୍ୟାପୀ ଉତ୍ତେଜନା ଲାଗିରହିଥିବାବେଳେ ବିଭିନ୍ନ କ୍ଷେତ୍ରରେ ଚାଇନା ସହ ଆମେରିକାର ପ୍ରତିଦ୍ୱନ୍ଦ୍ୱିତା ବଢ଼ିଚାଲିଛି। ଏଭଳି ସମୟରେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ବ୍ରିକ୍ସରେ ଯୋଗଦେଇଛନ୍ତି। ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଡା ସିଲ୍‌ଭା ମଧ୍ୟ ସମ୍ମିଳନୀରେ ସାମିଲ ହୋଇଛନ୍ତି। ତେବେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏଥିରେ ବ୍ୟକ୍ତିଗତ ଭାବେ ଯୋଗଦେବେ ନାହିଁ। ଦକ୍ଷିଣ ଆଫ୍ରିକା ଗସ୍ତ କଲେ ଇଣ୍ଟରନ୍ୟାଶନାଲ କ୍ରିମିନାଲ କୋର୍ଟ (ଆଇସିସି) ପକ୍ଷରୁ ଜାରି ଓ୍ବାରେଣ୍ଟ ବଳରେ ଗିରଫ ହେବା ଆଶଙ୍କା ଥିବାରୁ ସେ ଏଥିରେ ଭର୍ଚୁଆଲି ସାମିଲ ହେବେ। ତେବେ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ଏଥିରେ ଯୋଗଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୨୫ରେ ଦକ୍ଷିଣ ଆଫ୍ରିକାରୁ ଗ୍ରୀସ୍‌ ଗସ୍ତ କରି ସେଠାରେ ତାଙ୍କ ପ୍ରତିପକ୍ଷ କିରିଆକୋସ୍‌ ମିଟ୍‌ସୋଟାକିସ୍‌ଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ୪୦ ବର୍ଷ ମଧ୍ୟରେ ଏହା ହେବ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗ୍ରୀସ୍‌ ଗସ୍ତ।

#India#mODI
Comments (0)
Add Comment