ବିକ୍ରି ହେଉଛି ଚାକିରି! ଅଙ୍ଗନବାଡ଼ି ପଦବି ପାଇଁ ୪୦ ହଜାର

କୋରାପୁଟ: ଦୁନୀତିର ସୀମା ଟପିଛି। ମୋ ସରକାର ଓ ୫-ଟି ନେଇ ରାଜ୍ୟ ସରକାର ଗର୍ବ କରୁଥିବା ବେଳେ ତୃଣମୂଳସ୍ତରରେ ଘଟୁଥିବା ଘଟଣାକୁ ନେଇ ବୁଦ୍ଧିଜୀବୀମାନଙ୍କୁ ବିବ୍ରତ କରିପକାଉଛି। ଅଙ୍ଗନବାଡ଼ି ପଦବିରେ ନିଯୁକ୍ତି ଦେବା ପାଇଁ ଜଣେ ଅଭିଯୋଗକାରୀଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ନମିତା ରାଣୀ ପଲ୍‌ ଓ ବରିଷ୍ଠ କିରାଣୀ ଅଶ୍ବିନୀ କୁମାର ପ୍ରଧାନ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ସୂଚନା ଅନୁସାରେ ଶ୍ରୀମତୀ ପଲ୍‌ ଓ ଶ୍ରୀ ପ୍ରଧାନ ଅଭିଯୋଗକାରୀଙ୍କ ଝିଅଙ୍କୁ ଅଙ୍ଗନବାଡ଼ି ପଦବିରେ ନିଯୁକ୍ତି ଦେବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ୪୦ ହଜାର ଟଙ୍କା ବିନିମୟରେ ନିଯୁକ୍ତିପତ୍ର ନେଇ ଅଧିକାରୀ ଓ କିରାଣି କଥା ଛିଣ୍ଡାଇଥିଲେ। କିନ୍ତୁ ଆବେଦନକାରୀ ଘଟଣା ସଂପର୍କରେ ଭିଜିଲାନ୍ସ ବିଭାଗରେ ଅବଗତ କରାଇଥିଲେ। ଆଜି ପୂର୍ବ ଯୋଜନା ଅନୁସାରେ ଲାଞ୍ଚ କାରବାର ଚାଲିଥିବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଚଢ଼ଉ କରିଥିଲେ। ଶ୍ରୀ ପ୍ରଧାନଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଥିଲେ। ଏନେଇ ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Comments (0)
Add Comment