ନିର୍ବାଚନବେଳେ ମୋଦୀଙ୍କ ତପକୁ ନେଇ ରାଜନୈତିକ ବିତର୍କ; ଇସିରେ ଫେରାଦ ହେଲା ତାମିଲନାଡୁ କଂଗ୍ରେସ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଜୁନ୍‌ ୧ରେ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରଣାସୀ ଲୋକସଭା କ୍ଷେତ୍ର ସହ ୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ଆସନ ପାଇଁ ମତଦାନ ହେବ। ମତଦାନ ଶେଷ ହେବା ପରେ ସେହି ଦିନ ହିଁ ବୁଥ୍‌ ବାହୁଡ଼ା ମତାମତ (ଏକଜିଟ୍‌ ପୋଲ) ଆସିବାକୁ ଥିବାରୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ଯାଏଁ ସମସ୍ତଙ୍କ ମନରେ ଉତ୍ସୁକତା ଭରିଯାଇଛି। କିନ୍ତୁ ଏହାମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ପୁଣି ଏକ ବିତର୍କ ଆରମ୍ଭ ହୋଇଛି। ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ପାଇଁ ଗୁରୁବାର ପ୍ରଚାର ଶେଷ ହୋଇଥିଲା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଚାର କାର୍ଯ୍ୟ ଶେଷ କରି କନ୍ୟାକୁମାରୀରେ ପହଞ୍ଚିଛନ୍ତି। କନ୍ୟାକୁମାରୀର ସ୍ବାମୀ ବିବେକାନନ୍ଦ ଶିଳା ସ୍ମାରକୀ(ରକ୍‌ ମେମୋରିଆଲ) ଧ୍ୟାନ ମଣ୍ଡପମ୍‌ରେ ମୋଦୀ ଗୁରୁବାର ସନ୍ଧ୍ୟାରୁ ତପରେ ବସିବା ସହିତ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ପ୍ରାୟ ୪୫ ଘଣ୍ଟା ଧରି ଧ୍ୟାନମଗ୍ନ ରହିବେ ବୋଲି କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି।

ଏଥିପାଇଁ କନ୍ୟାକୁମାରୀରେ ୨ ହଜାର ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯିବା ସହିତ ରକ୍‌ ମେମୋରିଆଲ ସାମୁଦ୍ରିକ ତଟରେ ଭାରତୀୟ ନୌସେନା ଏବଂ ସାମୁଦ୍ରିକ ତଟ ସୁରକ୍ଷା ବାହିନୀର ବହୁ ଟିମ୍‌ ନିୟୋଜିତ ହୋଇଛନ୍ତି। ଏହାବ୍ୟତୀତ ଜାତୀୟ ସ୍ତରର ବହୁ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟ ଭିଡ଼ ଜମିଛି। କିନ୍ତୁ ଏହି ଧ୍ୟାନ କାର୍ଯ୍ୟକ୍ରମକୁ ନେଇ ବିରୋଧୀ ଦଳ ମୋଦୀଙ୍କୁ ନିଶାଣ କରିଛନ୍ତି। ଏଭଳି କାର୍ଯ୍ୟକ୍ରମ କେବଳ ନିର୍ବାଚନୀ ଫାଇଦା ଉଠାଇବା ଉଦ୍ଦେଶ୍ୟରେ ପ୍ରେରିତ ବୋଲି ବହୁ ନେତା ଅଭିଯୋଗ ଉଠାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ବିନା କ୍ୟାମେରାରେ କିଛି କରିପାରିବେ ନାହିଁ ବୋଲି ସେମାନେ କହିଛନ୍ତି। ମୋଦୀ ନିଜ ମାଆଙ୍କୁ ଭେଟିବା ଠାରୁ ଆରମ୍ଭ କରି ୨୦୧୯ ନିର୍ବାଚନ ଶେଷ ହେବା ପରେ କେଦାରନାଥ ଗୁମ୍ପାରେ ଧ୍ୟାନ କରିବା, ପଶ୍ଚିମବଙ୍ଗର ବେଲୁରୁ ମଠ, ବାରଣାସୀ ଗଙ୍ଗାଘାଟ ଏବଂ ଦ୍ବାରକା ପୀଠରେ ସମୁଦ୍ର ଭିତରେ ପୂଜାର୍ଚ୍ଚନା ପର୍ଯ୍ୟନ୍ତ ସବୁଠାରେ କ୍ୟାମେରାରେ ମୋଦୀ ଛାଇ ହୋଇଯାଇଥିଲେ।

ଏବେ କନ୍ୟାକୁମାରୀରେ ମଧ୍ୟ ଠିକ୍‌ ସେମିତି ହେବାକୁ ଯାଉଛି ବୋଲି ବିରୋଧୀ ନେତାମାନେ ଅଭିଯୋଗ କରିବା ସହିତ ଏହା ନିର୍ବାଚନୀ ସଂହିତାର ଉଲ୍ଲଘଂନ ବୋଲି କହିଛନ୍ତି। ଯେକୌଣସି ବ୍ୟକ୍ତି ଜପଧ୍ୟାନ କରିବା ନେଇ କିଛି ଅସୁବିଧା ନାହିଁ। ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ଅଧିକାର। କିନ୍ତୁ ନିର୍ବାଚନ ବେଳେ ଏବଂ ଗଣମାଧ୍ୟମରେ ପ୍ରଚାର କରି ଧ୍ୟାନ କରିବା ପଛରେ କିଛି ନା କିଛି ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି ବିରୋଧୀ ନେତାମାନେ ପ୍ରଶ୍ନ ଉଠାଇବା ପରେ ଏହାକୁ ନେଇ ବିତର୍କ ସୃଷ୍ଟି ହୋଇଛି। ମୋଦୀଙ୍କ ଏହି କାର୍ଯ୍ୟକ୍ରମକୁ ବିରୋଧ କରି ତାମିଲନାଡୁ କଂଗ୍ରେସ ପକ୍ଷରୁ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ ଦାଖଲ କରାଯାଇଛି।

ତେବେ ଏଭଳି କାର୍ଯ୍ୟକ୍ରମ ଉପରେ ପଦକ୍ଷେପ ଗ୍ରହଣ କରିବା ନିର୍ବାଚନ ଆୟୋଗଙ୍କ କ୍ଷମତା ପରିସରଭୁକ୍ତ କି ନାହିଁ ତାହା ବିଚାର କରାଯାଉଛି। କାରଣ ୨୦୧୯ରେ ମୋଦୀ କେଦାରନାଥ ଗୁମ୍ଫାରେ ଧ୍ୟାନ କରିବା ପରେ ଏଥିନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା।

Comments (0)
Add Comment