ଆଇସକ୍ରିମରୁ କଟା ଆଙ୍ଗୁଠି ବାହାରିବା ମାମଲା, ବଡ ଖୁଲାସା କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ଆଇସକ୍ରିମରୁ ମଣିଷର କଟା ଆଙ୍ଗୁଠି ବାହାରିବା ଘଟଣାରେ ପୋଲିସ ହାତରେ ଲାଗିଛି ବଡ ତଥ୍ୟ। ଆଙ୍ଗୁଠିଟି କାହାର ସେନେଇ ସ୍ପଷ୍ଟ କରିଛି ମୁମ୍ବାଇ ପୋଲିସ । ତେବେ ଏନେଇ କୌଣସି ସଠିକ୍ ପ୍ରମାଣ ମିଳିନଥିବା ବେଳେ ଡିଏନଏ ଟେଷ୍ଟ ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛି ମୁମ୍ବାଇ ପୋଲିସ।

ପୋଲିସର କହିବା ଅନୁସାରେ, ଗାଜିଆବାଦ ଏବଂ ପୁଣେରେ ବାଲ୍‌କୋ କମ୍ପାନୀର ପ୍ଲାଣ୍ଟ ରହିଛି। ଗତ ମେ’ ୧୧ ତାରିଖରେ ପୁନେ ପ୍ଲାଣ୍ଟରେ ଏକ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ୨୪ ବର୍ଷୀୟ ଆସିଷ୍ଟାଣ୍ଟ ଅପରେଟରଙ୍କ ଡାହାଣ ହାତର ମଝି ଆଙ୍ଗୁଠିର କିଛି ଅଂଶ କଟି ଯାଇଥିଲା। ଏଣୁ କଟା ଆଙ୍ଗୁଠି ଏହି କର୍ମଚାରୀଙ୍କର ହୋଇଥିବ ବୋଲି ପୋଲିସ ଅନୁମାନ କରିଛି। ବ୍ୟକ୍ତିଙ୍କର ଡିଏନଏ ନମୂନା ଯାଞ୍ଚ ପାଇଁ ଏଫ୍‌ଏସ୍‌ଏଲ୍‌ ନିକଟକୁ ପଠାଯାଇଛି। ରିପୋର୍ଟ ଆସିଲେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛି ପୋଲିସ୍।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ଅନ୍‌ଲାଇନରୁ ଜଣେ ମହିଳା ମଗେଇଥିବା ଏକ କୋନ୍ ଆଇସକ୍ରିମରୁ ମଣିଷର କଟା ଆଙ୍ଗୁଠି ବାହାରିଥିଲା । ଆଇସକ୍ରିମ ଭିତରେ କଟା ଆଙ୍ଗୁଠି ଦେଖି ଭୟରେ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ ମହିଳା। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଆଇସକ୍ରିମ କମ୍ପାନୀ ବିରୋଧରେ ମାମଲା ରୁଜୁ କରି ଉକ୍ତ କଟା ଆଙ୍ଗୁଠିକୁ ଫୋରେନସିକ୍‌ ଲାବେରେଟୋରୀକୁ ଯାଞ୍ଚ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

Comments (0)
Add Comment