ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଦୁଇ ଦିନିଆ ଗସ୍ତ ସାରି ଫେରି ଆସିଛନ୍ତି ମୋହନ ମାଝୀ। କିନ୍ତୁ ଗସ୍ତ ବେଳେ ଉଦବୋଧନ ଦେଇ କହିଥିଲେ, କିଭଳି ସୁନାର କେନ୍ଦୁଝରର ଲୁଟ୍ ହୋଇଛି। କହିବା ଆଳରେ କହିଥିଲେ ଯେ ସେ ଯେତେବେଳେ ବିରୋଧୀ ଦଳରେ ଥିଲେ ସେତେବେଳର ବିଜେଡି ସରକାର ତାଙ୍କ ମୁହଁ ଚୁପ କରିବାକୁ ମନ୍ତ୍ରୀ ପଦ ଯାଚିବା ସହ ଏକ ଖଣି ଦେବାକୁ ଅଫର କରିଥିଲା। ଏବେ ଏହାକୁ ନେଇ ତେଜିଛି ରାଜନୀତି। ଯାହାର ଜବାବ ରଖିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ପ୍ରତାପ ଦେବ।
ଆଳିର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ କେନ୍ଦୁଝର ଗସ୍ତ ସମୟରେ ଖଣି ଦୁର୍ନୀତି ନେଇ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ଦୁର୍ଭାଗ୍ୟଜନକ। ସରକାରୀ ଦଳ ପକ୍ଷରୁ ତାଙ୍କୁ ମନ୍ତ୍ରୀ ଓ ଖଣିଯାଚା ଯାଇଥିଲା ବୋଲି କହିଛନ୍ତି ତାହା ଦୁର୍ଭାଗ୍ୟଜନକ। ମୁଖ୍ୟମନ୍ତ୍ରୀ ଏକଥା ଜାଣିବା ଉଚିତ୍ ଥିଲା ଯେ ସେ ଆଉ ବିରୋଧୀ ଦଳରେ ନାହାନ୍ତି। ବର୍ତ୍ତମାନ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅଛନ୍ତି। କୌଣସି ବିବୃତ୍ତି ଦେବା ପୂର୍ବରୁ ସେ ଅନ୍ତତଃ ଭାବିବା ଉଚିତ ଯେ ନିଜ ପଦବୀର ସମ୍ମାନ ବଜାୟ ରଖିବା ତାଙ୍କର କର୍ତ୍ତବ୍ୟ।
ଉଲ୍ଲେଖଯୋଗ୍ଯ, ଗତକାଲି ମୁଖ୍ୟମନ୍ତ୍ରୀ କହିଥିଲେ, କେନ୍ଦୁଝରରେ ପ୍ରବେଶ କରିବା ପରେ କିଛି ଅଣଓଡ଼ିଆ ଓ ଅଣ କେନ୍ଦୁଝରବାସୀ ଏବେ ବି ଜିଲ୍ଲାର ନିରୀହ ଓ ଗରିବ ଆଦିବାସୀ ଓ ସାଧାରଣ ଲୋକଙ୍କୁ ଲୁଟ୍ କରୁଛନ୍ତି। ଏବେ ଏହିପରି ଲୋକଙ୍କୁ ଛଡ଼ାଯିବ ନାହିଁ। ଲୋକଙ୍କୁ ନ୍ୟାୟ ଦେବାରେ ଯଦି କେହି ବାଧକ ସାଜିବେ ତେବେ ତାଙ୍କୁ କ୍ଷମା କରାଯିବ ନାହିଁ। ସେମାନଙ୍କୁ ଝାରପଡ଼ା ଜେଲ୍ କୁ ପଠାଯିବ।