ନୂଆଦିଲ୍ଲୀ: ଦ୍ୱିତୀୟ ଥର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ଓମ୍ ବିର୍ଲା। ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ଓମ୍ ବିର୍ଲାଙ୍କୁ ଉଭୟ ପ୍ରଧାନମନ୍ତ୍ରୀ ମୋଦୀ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁଭେଚ୍ଛା ଜଣାଇଛନ୍ତି। ଅଷ୍ଟାଦଶ ଲୋକସଭାର ନବ ନିର୍ବାଚିତ ବାଚସ୍ପତି ଓମ୍ ବିର୍ଲାଙ୍କୁ ସ୍ୱାଗତ କରିବା ସମୟରେ ସଂସଦରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ସଂସଦରେ ହାତ ମିଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ।
ଉଭୟ ପ୍ରଧାନମନ୍ତ୍ରୀ ମୋଦୀ ଓ ବିରୋଧୀ ଦଳ ନେତା ନିଜ ନିଜ ଆସନରୁ ତାଙ୍କ ସହ ହାତ ମିଳାଇ ତାଙ୍କୁ ବାଚସ୍ପତିଙ୍କ ଆସନ ଯାଏଁ ବାଟେଇ ନେଇ ଶୁଭେଚ୍ଛା ଜଣାଇଥିଲେ। ବାଚସ୍ପତିଙ୍କୁ ସ୍ୱାଗତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାହୁଲ ଗାନ୍ଧୀ ଉଭୟଙ୍କୁ ହ୍ୟାଣ୍ଡ ସେକ୍ କରିଥିବା ଦେଖିବାକୁ ମିଳିଛି । ଏହି ଦୁଇ ନେତାଙ୍କ ମଧ୍ୟରେ ଏପରି ବନ୍ଧୁତ୍ୱପୂର୍ଣ୍ଣ ଭାବ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଯାହାକୁ ବିରଳ ଦୃଶ୍ୟ ବୋଲି କୁହାଯାଉଛି।
ଅନ୍ୟପଟେ ରାହୁଲ ଗାନ୍ଧୀ ବିରୋଧୀ ମେଣ୍ଟ ଦଳର ନେତା ହେବାକୁ ଯାଉଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ଇଣ୍ଡିଆ ମେଣ୍ଟ ଓ ବିରୋଧୀ ଦଳ ତରଫରୁ ମୁଁ ଶୁଭେଚ୍ଛା ଜଣାଇଛି । ସରକାରଙ୍କ ପାଖରେ ରାଜନୈତିକ ଶକ୍ତି ଅଛି କିନ୍ତୁ ବିରୋଧୀ ବି ଭାରତୀୟ ଲୋକଙ୍କୁ ପ୍ରତିନିଧିତ୍ୱ କରୁଛନ୍ତି । ବିରୋଧୀଙ୍କ ସ୍ୱରକୁ ଏହି ଗୃହରେ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ଦିଆଯାଉ। ଏହାଦ୍ୱାରା ଭାରତର ସମ୍ବିଧାନକୁ ରକ୍ଷା କରିବାର କର୍ତ୍ତବ୍ୟ ତୁଲାଇପାରିବେ।