ମାତିଛି ଚାନ୍ଦିପୁରା ଭାଇରସ, ଗଲାଣି ୧୬ ଜୀବନ

ଅହମଦାବାଦ: ଗୁଜରାଟରେ ମାତିଛି ଚାନ୍ଦିପୁରା ଭାଇରସ।ତେବେ ବର୍ତ୍ତମାନ ସୁଦ୍ଧା ଗୁଜରାଟରେ ଏହି ଭାଇରସରେ ସଂକ୍ରମିତ ହୋଇ ୧୬ ଜଣଙ୍କ ଜୀବନ ଗଲାଣି।

ଏନେଇ ଗୁଜରାଟ ସ୍ବାସ୍ଥ୍ଯ ମନ୍ତ୍ରୀ ଋଷିକେଶ ପଟେଲ କହିଛନ୍ତି, ହିମତପୁରରେ ଚାନ୍ଦିପୁରା ଭାଇରସର ୧୪ଟି ରିପୋର୍ଟ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୭ ଜଣ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଚାନ୍ଦିପୁରା ଭାଇରସର ତିନୋଟି ମାମଲା ଅନ୍ୟ ରାଜ୍ୟରୁ ଆସିଛି। ସମଗ୍ର ରାଜ୍ୟରେ ଏହି ଭାଇରସର ୫୦ଟି ମାମଲା ରୁଜୁ ହୋଇଥିବା ବେଳେ ୧୬ ଜଣ ପ୍ରାଣ ହରାଇଛନ୍ତି।

ତେବେ ଏହାପୂର୍ବରୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଚାନ୍ଦିପୁରା ଭାଇରସ ନେଇ ରାଜ୍ୟରେ ସ୍ଥିତି ସମୀକ୍ଷା କରିଥିଲେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ମଧ୍ଯ ନଜର ରଖିଥିଲେ।

ଗୁଜରାଟର ସାବରକନ୍ଥ, ଆରାବଳୀ, ମୋରବି, ଖେଡା, ମେହସାନା, ରାଜକୋଟ, ଅହମଦାବାଦ ଆଦି ଜିଲ୍ଲାରେ ଚାନ୍ଦିପୁରା ଭାଇରସ ଆତଙ୍କ ଖେଳାଇଛି। ଏହି ଭାଇରସ ଭେସିକୁଲାର ଭାଇରସ ଜେନସ ଶ୍ରେଣୀର ଅନ୍ତର୍ଗତ ଥିବା ବେଳେ ମୁଖ୍ଯତଃ ପିଲାଙ୍କ ପ୍ରତି ବିପଦ ସାବ୍ଯସ୍ତ ହୋଇଥାଏ। ସୂଚନାଯୋଗ୍ୟ, ଚାନ୍ଦିପୁରା ଭାଇରସ ଯୋଗୁ ପ୍ରବଳ ଜ୍ବର, ଡାଇରିଆ, ବାନ୍ତି, କାଶ ହୋଇଥାଏ।

Leave A Reply

Your email address will not be published.