ମୁମ୍ବାଇ: ଚଳିତ ବର୍ଷ ଉଭୟ ଟ୍ବେଣ୍ଟି-୨୦ ବିଶ୍ବକପ୍ ଏବଂ ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍) ଖେଳିବାକୁ ମୁଁ ଚାହେଁ ବୋଲି କହିଛନ୍ତି ଭାରତୀୟ ସୀମିତ ଓଭର ଉପଅଧିନାୟକ ରୋହିତ ଶର୍ମା। ହେଲେ କୋଭିଡ୍-୧୯ ମହାମାରୀର ସ୍ଥିତି ଯାହା ରହିଛି ଉଭୟରୁ ଅନ୍ତତଃ ଗୋଟିଏ ପ୍ରତିଯୋଗିତା ଖେଳାଯିବାର ସମ୍ଭାବନା ରହିଛି। ଆଇସିସି (ଆନ୍ତର୍ଜତିକ କ୍ରିକେଟ୍ ପରିଷଦ) ଏବେ ବି ଅଷ୍ଟ୍ରେଲିଆରେ ଅକ୍ଟୋବର-ନଭେମ୍ବର ଆୟୋଜିତ ହେବାକୁ ଥିବା ବିଶ୍ବକପ୍ ଉପରେ କୌଣସି ନିଷ୍ପତ୍ତି ନେଇନି।
ଅନ୍ୟପକ୍ଷରେ ବିସିସିଆଇ ମଧ୍ୟ ଲୋକପ୍ରିୟ ଆଇପିଏଲ୍ ଆୟୋଜନକୁ ଅନିର୍ଦିଷ୍ଟ ସମୟ ଲାଗି ସ୍ଥଗିତ ରଖିଛି। ଯଦି ଟ୍ବେଣ୍ଟି-୨୦ ବିଶ୍ବକପ୍ ସ୍ଥଗିତ ରୁହେ, ତାହାଲେ ସେହି ସମୟରେ କେବଳ ଆଇପିଏଲ୍ ଆୟୋଜନ ହୋଇପାରେ। ହେଲେ ଚଳିତ ବର୍ଷ ଏହି ଦୁଇଟି ମଧ୍ୟରୁ କେଉଁଟାକୁ ସେ ଅଧିକ ପସନ୍ଦ କରିବେ ବୋଲି ଏକ ଇନ୍ଷ୍ଟାଗ୍ରାମ୍ ବାର୍ତାଳାପ ବେଳେ ପଚରାଯିବାରୁ ରୋହିତ ଉଭୟ ବୋଲି ଉତ୍ତର ଦେଇଥିଲେ। ଏଠାରେ ସୂଚନାଯୋଗ୍ୟ, ରୋହିତ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ବ ନେଇ ୪ ଥର ଆଇପିଏଲ୍ ବିଜେତା ହୋଇଛନ୍ତି। ଅନ୍ୟପକ୍ଷରେ ଚଳିତ ବର୍ଷ ଯେତେବେଳେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ ସେତେବେଳେ ଗୋଲାପୀ ବଲ୍ ଟେଷ୍ଟ୍ ଖେଳିବା ଆମ ପାଇଁ ଆହ୍ବାନ ହେବ ବୋଲି ଏହି ତାରକା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ କହିଛନ୍ତି। ଭାରତ ଚଳିତ ବର୍ଷ ୪ ଟେଷ୍ଟ୍ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯିବାର ସୂଚୀ ରହିଛି। ଡିସେମ୍ବର ୩ରୁ ବ୍ରିସ୍ବନ୍ର ଗାବା ଷ୍ଟାଡିୟମ୍ରେ ପ୍ରଥମ ଟେଷ୍ଟ୍ ଖେଳାଯିବାର ଥିଲା ବେଳେ ଆଡିଲେଡ୍ ଓଭାଲରେ ଦିବାରାତ୍ର ଭିତ୍ତିରେ ଦ୍ବିତୀୟ ଟେଷ୍ଟ୍ ଖେଳାଯିବ। ସେହି ଟେଷ୍ଟ୍ରେ ଗୋଲାପୀ ବଲ୍ ବ୍ୟବହାର କରାଯିବ। ପୁଣି ମହେନ୍ଦ୍ର ସିଂହ ଧୋନିଙ୍କ ସଂପର୍କରେ ଗୋଟିଏ ଶବ୍ଦରେ ବର୍ଣ୍ଣନା କରିବାକୁ ରୋହିତଙ୍କ ପଚରା ଯାଇଥିଲା ବେଳେ ସେ କେବଳ ‘କିଂବଦନ୍ତି’ ବୋଲି କହିଥିଲେ। ସେହିପରି ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଏବଂ ଇଂଲଣ୍ଡର ଜୋ ରୁଟ୍ଙ୍କ ବ୍ୟାଟିଂକୁ ସେ ଖୁବ୍ ଉପଭୋଗ କରନ୍ତି ବୋଲି ରୋହିତ କହିଥିଲେ।
Comments are closed.