ଭୁବନେଶ୍ୱର: ବାଂଲାଦେଶରେ ଦେଖାଦେଇଥିବା ହିଂସା ଏବେ ଚରମ ସୀମାରେ ପହଂଚିଛି l ପୂର୍ବତନ ପ୍ରଧାନମନ୍ତ୍ରୀ ଦେଶ ଛାଡି ଭାରତ ଆସିବା ପରେ ଭାରତ ପ୍ରତି ବିପଦ ଘନେଇଛି l ଏହାରି ଭିତରେ ବର୍ଡ଼ର ରାଜ୍ୟକୁ ଆଲର୍ଟ ଜାରି କରିଛନ୍ତି ସରକାର l ସେପଟେ ବାଂଲାଦେଶ ହିଂସାକୁ ନେଇ ଓଡ଼ିଶାରେ ମଧ୍ୟ ହାଇ-ଆଲର୍ଟ ଜାରି କରାଯାଇଛି l ସୀମାରେଖା ଦେଇ ଅନୁପ୍ରବେଶକାରୀ ରାଜ୍ୟକୁ ପଶିଆସିବାର ସମ୍ଭାବନା ରହିଛି । ଯାହାକୁ ନେଇ ବାଂଲାଦେଶ ସୀମା ସମସ୍ତ ଜଳପଥ ଓ ସ୍ଥଳପଥ ଉପରେ ଓଡ଼ିଶା ପୋଲିସ କଡ଼ା ନଜର ରଖିଛି l
ସୂଚନାଯୋଗ୍ୟ ଯେ, ଚାକିରିରେ ସଂରକ୍ଷଣକୁ ନେଇ ବ୍ୟାପକ ହିଂସାକାଣ୍ଡ ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ୭୬ ବର୍ଷୀୟା ଶେଖ୍ ହସିନା ଦେଶ ଛାଡି ପଳାୟନ କରିଛନ୍ତି। ଏହାପରେ ଦେଶର ସେନା ଅସ୍ଥାୟୀ ଭାବେ କ୍ଷମତା ହାତକୁ ନେଇଥିଲେ। ଅନ୍ୟପଟେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ, ଅର୍ଥନୀତିଜ୍ଞ ୟୁନୁସକୁ ଅନ୍ତରୀଣ ସରକାରର ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି।