ଭୁବନେଶ୍ବର: ରାଜ୍ୟରେ ପୁଣି ଆଳୁ ଦର ଉପରମୁହାଁ ହୋଇଥିବା ବେଳେ ଏହାକୁ ନେଇ ହନ୍ତସନ୍ତ ହେଉଛନ୍ତି ଖାଉଟି । ସରକାରଙ୍କ ହସ୍ତକ୍ଷେପ ପରେ ବି ସ୍ଥିତି ସୁଧୁରୁନି । ଦିନକୁ ଦିନ ବଜାରରେ ଆଳୁ ଦର ବଢିଚାଲିଛି । କିଛି କିଛି ଖୁଚୁରା ଦେକାନୀ ୬୦ ଟଙ୍କା ଚଢା ଦରରେ ଆଳୁ ବିକ୍ରି କରୁଛନ୍ତି । କରିବେନି ବା କାହିଁକି, ଆଳୁ ଗୋଦାମରେ ଆଳୁ ନାହିଁ । ଯାହା ବି ଅଛି ତାହା ନିମ୍ନ ମାନର । ତେଣୁ ଚଢା ଦରରେ ନ ବିକିଲେ ତାଙ୍କର କ୍ଷତି ହେବ କହି ନିଜ ମନମାନି କରୁଛନ୍ତି ବେପାରୀ ।
ଅନ୍ୟପକ୍ଷରେ ଫେଲ୍ ମାରିଛି ସରକାରଙ୍କ ସବୁ ଯୋଜନା । ପ୍ରଥମେ ପଶ୍ଚିମବଙ୍ଗ, ପରେ ଉତ୍ତରପ୍ରଦେଶ ଆଉ ତା ପରେ ପଞ୍ଜାବ ଯାଏଁ କଥା ଗଲା ହେଲା ରାଜ୍ୟରେ ଆଳୁ ଦର କମିଲାନି । ଯାହାକୁ ନେଇ ଲୋକଙ୍କୁ ଖାଲି ଆଶ୍ବସନା ଦେଉଛନ୍ତି ସରକାର । ବେପାରୀଙ୍କୁ ତାଗିଦ୍ କରିବା ସହ ଲୋକଙ୍କୁ ଧୈର୍ଯ୍ୟ ଧରିବାକୁ କହିଛନ୍ତି । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର କହିଛନ୍ତି, ଦିନେ ଦୁଇ ଦିନ ଭିତରେ ସମସ୍ୟା ଦୂର ହେବ । ପଶ୍ଚିମବଙ୍ଗରୁ ଆଳୁ ଆସିଲାଣି । ଖାଉଟିମାନେ ଆତଙ୍କିତ ହୁଅନ୍ତୁ ନାହିଁ ।ଖୁବ୍ ଶୀଘ୍ର ଏହି ସମସ୍ୟା ଦୂର ହେବ । ଏହା ସହିତ ବ୍ୟବସାୟୀମାନେ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।
ତେବେ ଦେଖାଯାଉ ଖୁବଶୀଘ୍ର ସାଧାରଣ ଲୋକଟି ମୁଣ୍ଡରୁ ଏ ଆଳୁର ବୋଝ ଦୂର ହେଉଛି ନା ସରକାରଙ୍କ ହାତରୁ ଆହୁରି ଅଣାୟତ୍ତ ହେଇଯାଉଛି ଆଳୁ ପ୍ରସଙ୍ଗ ।