ନୂଆଦିଲ୍ଲୀ: ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବେ, ସେନେଇ ଜାରି ରହିଛି ସସପେନ୍ସ। ଏଥିପାଇଁ ଜାରି ରହିିଛି ଘନ ଘନ ବୈଠକ । ଆରଏସଏସ ମଧ୍ୟ ଆରମ୍ଭ କରିଦେଇଛି ବିଚାରବିମର୍ଶ ପ୍ରକ୍ରିୟା। କିନ୍ତୁ ନଡ୍ଡାଙ୍କ ଉତ୍ତରାଧିକାରୀ ନିର୍ବାଚନ ବିଳମ୍ବିତ ହେଉଛି, ଯାହା କି ରାଜନୀତି ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ଦଳୀୟ ବ୍ୟାପାର ସଂପର୍କରେ ବିଜେପି ନିଷ୍ପତ୍ତି ନେବାରେ ଡେରି କରେ ନାହିଁ ।
ବିଧାନସଭା ନିର୍ବାଚନ ପାଇଁ ଡେରି ?
ଏ ବର୍ଷ ମହାରାଷ୍ଟ୍ର, ହରିୟାଣା, ଝାଡଖଣ୍ଡ ଓ ଜାମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ ହେବ । ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଯଥାସ୍ଥିତି ବଜାୟ ରଖିବାକୁ ଚାହୁଁଥିବ ବୋଲି କିଛି ରାଜନୀତି ବିଶେଷଜ୍ଞଙ୍କ ମତ । ନିର୍ବାଚନକୁ ଆଉ ଦୁଇ ମାସ ଥିବା ବେଳେ ନୂଆ ସଭାପତିଙ୍କ ନିଯୁକ୍ତି ଦଳର ପ୍ରସ୍ତୁତିରେ ଅଡୁଆ ସୃଷ୍ଟି କରିବ ବୋଲି କୁହାଯାଉଛି। ଆଉ କିଛି ଏଥିରେ ଏକମତ ନୁହନ୍ତି । ବିଧାନସଭା ନିର୍ବାଚନ ସହ ନୂଆ ବିଜେପି ଜାତୀୟ ସଭାପତି ନିର୍ବାଚନର କୌଣସି ସଂପର୍କ ନାହିଁ । ବିଜେପି ସମ୍ବିଧାନ ଅନୁସାରେ ଦଳର ୧୫ ବର୍ଷ ଧରି ସଦସ୍ୟ ରହିଥିବା ନେତା ସଭାପତି ହୋଇପାରିବେ। ଯିଏ ବି ବିଜେପି ସଭାପତି ହେବେ, ସେ ସଂଗଠନକୁ ଭଲ ଭାବେ ଜାଣିଥିବେ । କେବଳ ଦାୟିତ୍ୱ ବଦଳିବ । ସଂଗଠନ ବୁଝିବାକୁ ନୂଆ ସଭାପତିଙ୍କୁ ବେଶୀ ସମୟ ଲାଗିବ ନାହିଁ ବୋଲି ଆଉ କିଛି ରାଜନୈତିକ ବ୍ୟାପାର ବିଶେଷଜ୍ଞ କହିଛନ୍ତି ।
ସଂଘ ପାଇଁ ହେଉଛି କି ଡେରି?
ବିଜେପିର ନୂଆ ସଭାପତି ନିର୍ବାଚନରେ ଡେରି ଆରଏସଏସ ସହ ମତଭେଦ କାରଣରୁ ହେଉଛି କି ବୋଲି ପ୍ରଶ୍ନ ଉଠିଛି । ବିଜେପି ସଭାପତି ପଦ ପାଇଁ ଆରଏସଏସ କେବେ ବି ନିଜ ତରଫରୁ କୌଣସି ନେତାଙ୍କ ସିଧାସଳଖ ସୁପାରିଶ କରେ ନାହିଁ। କିନ୍ତୁ ବିଜେପି ପକ୍ଷରୁ କୌଣସି ନେତାଙ୍କ ନାଁ ପ୍ରସ୍ତାବ ଦିଆଗଲେ ସଂଘ ନିଜର ମତାମତ ଦିଏ, ଯାହା କି କୌଣସି ଲିଖିତ ଆଦେଶରୁ କମ୍ ନୁହେଁ । ବିଜେପିରେ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ରହିଆସିଥିବା ବର୍ଚ୍ଚସ୍ୱ ଏଥର ଲୋକସଭା ନିର୍ବାଚନ ପରେ ଟିକେ ହ୍ରାସ ପାଇଛି । ମୋଦି ଓ ଶାହାଙ୍କୁ ପସନ୍ଦ କରୁନଥିବା ନେତା ଆରଏସଏସ ଜରିଆରେ ନିଜର ଦାବିଦାରି ଉପସ୍ଥାପନ କରିବାକୁ ଚାହୁଁଥିବେ ବୋଲି କିଛି ବିଶେଷଜ୍ଞ ଅନୁମାନ କରୁଛନ୍ତି । ସଭାପତି ଭାବେ କୌଣସି ନିର୍ଦ୍ଦିଷ୍ଟ ନାଁ ଉପରେ ସଂଘ ଓ ବିଜେପି ମଧ୍ୟରେ ସହମତି ହୋଇପାରୁନାହିଁ । ସେଥିପାଇଁ ନୂଆ ବିଜେପି ସଭାପତି ନିର୍ବାଚନ ବିଳମ୍ବିତ ହୋଇଛି ।
କିଏ କିଏ ଅଛନ୍ତି ରେସରେ ?
ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବିଜେପି ସଭାପତି ପଦ ପାଇଁ ଆରଏସଏସର ପ୍ରଥମ ପସନ୍ଦ ଥିଲେ । କିନ୍ତୁ ଶିବରାଜଙ୍କୁ ନରେନ୍ଦ୍ର ମୋଦି ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ । ସଭାପତି ପଦ ପାଇଁ ରେସରେ ବିଜେପିର ଜାତୀୟ ମହାସଚିବ ବିନୋଦ ତାବଡେ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ସୁନୀଲ ବଂସଲଙ୍କ ନାଁ ଶୁଣାଯାଉଛି । ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ନାଁ ବି ବିଜେପି ସଭାପତି ପଦ ପାଇଁ ଚର୍ଚ୍ଚା ହେଉଛି । ଯଦି ବିଜେପି ସଭାପତି ନିର୍ବାଚନ ବିଧାନସଭା ନିର୍ବାଚନ ଯାଏଁ ଲଟକେ, ତାହେଲେ ଜଣେ କାର୍ଯ୍ୟକାରୀ ସଭାପତିଙ୍କୁ ଦଳ ନିଯୁକ୍ତ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।