ରାଜ୍ୟରେ ଖୋଲିବ ଆଉ ଏକ ଘରୋଇ ମେଡିକାଲ କଲେଜ

ଭୁବନେଶ୍ୱର: ରାଜ୍ୟରେ ଆଉ ଏକ ଘରୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଖୋଲିବ। ଏଥିପାଇଁ ନ୍ୟାଶନାଲ ମେଡିକାଲ କମିଶନ ବା ଏନଏମସି ଅନୁମତି ପ୍ରଦାନ କରିଛନ୍ତି। ଏହି ନୂଆ କଲେଜଟି ରାଜ୍ୟର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡ୍ରିମ୍ସ କଲେଜ ଖୋଲିବ। ଯାହାର ନାମ ରହିବ ଡ୍ରିମସ ଇନଷ୍ଟିଚ୍ୟୁଟ ଅଫ୍ ହେଲଥ ସାଇନ୍ସସ ଆଣ୍ଡ ହସ୍ପିଟାଲ, କଟକ । ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ଖୋଲିବାକୁ ଥିବା ଏହି ମେଡିକାଲ କଲେଜରେ ୧୦୦ଟି ସିଟ୍ ରହିବ ।

୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ଏହି କଲେଜ ଏମବିବିଏସ ପାଠ୍ୟକ୍ରମ ପାଇଁ ନାମଲେଖାଇ ପାରିବ ବୋଲି ଏନଏମସି ଜାରି କରିଥିବା ଚିଠିରୁ ଜଣାପଡ଼ିଛି। ଏହି ମେଡିକାଲ କଲେଜ କଟକରେ ପ୍ରଥମ ଘରୋଇ ମେଡିକାଲ ହେବ। ଏନଏମସି ଏମବିବିଏସ ନାମଲେଖା ପାଇଁ ଅନୁମତି ପ୍ରଦାନ କରିବା ସହିତ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ ଆଦିଙ୍କୁ ଅବଗତ କରାଇଛି ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ରାଜ୍ୟରେ କିଟ୍, ସୋଆ ଏବଂ ହାଇଟେକ ଭଳି ଶିକ୍ଷାନୁଷ୍ଠାନ ଘରୋଇ ମେଡିକାଲ କଲେଜ ଖୋଲିଥିଲେ। ଏବେ ଏହି ତାଲିକାରେ ଯୋଡି ହୋଇଛି ଡ୍ରିମ୍ସ। ବହୁ ଦିନ ଧରି ଡ୍ରିମ୍ସ ମେଡିକାଲ କଲେଜ ଖୋଲିବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ଏବେ ପୂର୍ଣ୍ଣଛେଦ ପଡ଼ିଛି। ପୂର୍ବରୁ ଏହି ଶିକ୍ଷାନୁଷ୍ଠାନ ଇଞ୍ଜିନୟରିଂ କଲେଜ, ଯୁକ୍ତ ଦୁଇ, ମ୍ୟାନେଜମେଣ୍ଟ ପାଠ୍ୟକ୍ରମ, ନର୍ସିଂ କଲେଜ ସହ ଅନ୍ୟାନ୍ୟ ବୈଷୟିକ କଲେଜ ଆଦି ଖୋଲି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ନିକଟରେ ଏହି ଶିକ୍ଷାନୁଷ୍ଠାନର ଇଞ୍ଜିନିୟରିଂ କଲେଜଟି ଅଟୋନମସ ମାନ୍ୟତା ପାଇଥିଲା। ଯାହାକି ପୂର୍ବରୁ ବିଜୁ ପଟ୍ଟନାୟକ ବିଶ୍ୱବିଦ୍ୟାଳୟ ଏବଂ ଟେକ୍ଲୋଲଜି ବା ବିପୁୟୁଟି ଅଧୀନରେ ଥିଲା।

Leave A Reply

Your email address will not be published.