୨୩ରେ ଛୁଇଁବ ମୌସୁମୀ !

ଭୁବନେଶ୍ୱର : ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସିବାରେ ବିଳମ୍ବ ହେଲାଣି। ଜୁନ୍‌ ପହିଲାରେ ମୌସୁମୀ କେରଳ ଛୁଇଁଲେ ଏହାର ୧୦ରୁ ୧୨ଦିନ ମଧ୍ୟରେ ଓଡ଼ିଶାରେ ସ୍ପର୍ଶ କରିଥାଏ। ଯଦି କୌଣସି କାରଣରୁ ମୌସୁମୀ ଆସିବାରେ ବାଧାପ୍ରାପ୍ତ ହୋଇ ନିଷ୍କ୍ରିୟ ରହିଲା ତେବେ ୧୬ରୁ ୧୮ତାରିଖ ଭିତରେ ମୌସୁମୀ ଆସିଯାଏ। ଚଳିତ ବର୍ଷ ମୌସୁମୀ ବାୟୁ ରାଜ୍ୟକୁ କେବେ ପ୍ରବେଶ କରିବ ତା’ଉପରେ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ।

କିନ୍ତୁ ପାଣିପାଗ ବିଶେଷଜ୍ଞଙ୍କ ମତ, ୨୩ ତାରିଖ ପରେ ରାଜ୍ୟରେ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୨୩ ବେଳକୁ ରାଜ୍ୟରେ ମୌସୁମୀ ବର୍ଷା ହେବା ସମ୍ଭାବନା ରହିଛି। ୧୯ରୁ ୨୨ତାରିଖ ମଧ୍ୟରେ କେତେକ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷାର ସମ୍ଭାବନା ରହିଛି।

୨୩ରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ଦ୍ବାରା ମୌସୁମୀ ପ୍ରବେଶ ନେଇ ଘୋଷଣା କରାଯାଇପାରେ। ଜୁନ୍‌ରେ ସମୁଦାୟ ବର୍ଷା ୮୦ମିମି ହୋଇପାରେ। ସମ୍ଭବତଃ ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ କମ୍‌ ବର୍ଷାର ସମ୍ଭାବନା ଥିବାବେଳେ ଆଭ୍ୟନ୍ତରୀଣରେ ଅଧିକ ବର୍ଷା ହୋଇପାରେ। ମାସରେ ପ୍ରାୟତଃ ୫୦% ନିଅଣ୍ଟିଆ ବର୍ଷାର ସମ୍ଭାବନା ରହିଛି।

Leave A Reply

Your email address will not be published.