ବଦଳିଲା ସୈଫଙ୍କ ସିକ୍ୟୁରିଟି ଟିମ୍, ଏଥର ସୁରକ୍ଷା ଯୋଗାଇବ ଏହି ଅଭିନେତାଙ୍କ ଏଜେନ୍ସି

ମୁମ୍ବାଇ: ମଙ୍ଗଳବାର ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଜାନୁଆରୀ ୧୬ ତାରିଖରେ ହୋଇଥିବା ଆକ୍ରମଣ ପରଠାରୁ ସୈଫଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୈଫଙ୍କ ଉପରେ ଆକ୍ରମଣ ପରେ ତାଙ୍କ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠାଯାଉଥିଲା। ଜଣେ ଅଜଣା ବ୍ୟକ୍ତି ସେମାନଙ୍କ କୋଠାର ୧୧ତମ ମହଲାକୁ କିପରି ପହଞ୍ଚିଲେ? ଏହି ପ୍ରଶ୍ନ ସମସ୍ତଙ୍କୁ ବିବ୍ରତ କରୁଥିଲା। କିନ୍ତୁ ଏବେ ସୈଫ୍ ତାଙ୍କ ସୁରକ୍ଷାକୁ ଗମ୍ଭୀରତାର ସହ ନେବା ଆରମ୍ଭ କରିଛନ୍ତି।

ଅଭିନେତା ଘରକୁ ଫେରିବା ମାତ୍ରେ ତାଙ୍କ ପରିବାରର ସୁରକ୍ଷା ପାଇଁ ବଦଳାଇଛନ୍ତି ସିକ୍ୟୁରୁଟି ଟିମ୍ । ଏବେ ସୈଫଙ୍କ ଏବଂ ତାଙ୍କ ପରିବାରକୁ ଜଣେ ଅଭିନେତାଙ୍କ ସିକ୍ୟୁରିଟି ଏଜେନ୍ସି ସୁରକ୍ଷା ଦେବାକୁ ଯାଉଛି। ୯୦ ଦଶକର ଅଭିନେତା ରୋନିତ ରୟ ସୈଫଙ୍କୁ ତାଙ୍କ ଘରେ ସୁରକ୍ଷା ଦେବାକୁ ଯାଉଛନ୍ତି । ରୋନିତ ରୟ ଏସ୍ ସିକ୍ୟୁରିଟି ଆଣ୍ଡ୍ ପ୍ରୋଟେକ୍ସନ୍ ନାମକ ଏକ ଫାର୍ମ ଚଲାନ୍ତି। ଯେଉଁଥିରେ ସେ ସୁରକ୍ଷା କର୍ମୀ ଯୋଗାଇଥାନ୍ତି।

ଏହି ସମୟରେ, ଏକ ସାକ୍ଷାତକାରରେ ରୋନିତ କହିଛନ୍ତି, ‘ଆମେ ସୈଫଙ୍କ ସହିତ ଅଛୁ। ସେ ବର୍ତ୍ତମାନ ସୁସ୍ଥ ଅନୁଭବ କରୁଛନ୍ତି । ଏବେ ସେ ଘରକୁ ଫେରି ଆସିଛନ୍ତି।’ରୋନିତ ରୟଙ୍କୁ ପ୍ରାୟତଃ ଫିଲ୍ମର ଖଳନାୟକ ଭୂମିକାରେ ଅଧିକ ଦେଖିବାକୁ ମିଳେ। ସେ ଟିଭି ସିରିଏଲରେ ମଧ୍ୟ କାମ କରିଛନ୍ତି। ଏହା ବ୍ୟତୀତ ରୋନିତ ରୟ ନିଜର ଏକ ଏଜେନ୍ସି ଖୋଲିଛନ୍ତି। ଯାହା ମାଧ୍ୟମରେ ସେ ଅନେକ ବଡ଼ ବଡ଼ ବଲିଉଡ୍ ଅଭିନେତାଙ୍କୁ ସୁରକ୍ଷା ଯୋଗାଇଥାନ୍ତି। ରୋନିତ ସୈଫଙ୍କ ପୂର୍ବରୁ ଅମିତାଭ ବଚ୍ଚନ, ଆମୀର ଖାନ, ଅକ୍ଷୟ କୁମାର, କରଣ ଜୋହର ଏବଂ କ୍ୟାଟ୍ରିନା କୈଫ୍ ଭଳି ତାରକାଙ୍କୁ ସୁରକ୍ଷା ଯୋଗାଇଛନ୍ତି।

Leave A Reply

Your email address will not be published.