ମୁମ୍ବାଇ: ‘ଛାବା’ ଫିଲ୍ମରୁ ହଟିବ ବିବାଦୀୟ ଡ୍ୟାନ୍ସ ସିନ୍। ରାଜନେତା ଏବଂ ଇତିହାସକାର ମାନେ ଆପତ୍ତି ଉଠାଇବା ପରେ ଚଳଚ୍ଚିତ୍ରରୁ ‘ଲେଜିମ୍’ ନୃତ୍ୟ ଦୃଶ୍ୟକୁ ହଟାଇ ଦିଆଯିବ। ଏହି ଫିଲ୍ମ ମରାଠା ଯୋଦ୍ଧା ଛତ୍ରପତି ସମ୍ଭାଜୀଙ୍କ ଜୀବନୀ ଉପରେ ଆଧାରିତ।
ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କ ବାସଭବନରେ ଏନେଇ ଆଲୋଚନା ପରେ ଚଳଚ୍ଚିତ୍ର ନିର୍ମାତା ଏଭଳି ଘୋଷଣା କରିଛନ୍ତି। ନିକଟରେ ରିଲିଜ୍ ହୋଇଥିବା ଫିଲ୍ମର ଟ୍ରେଲରରେ ଏକ ଦୃଶ୍ୟ ରହିଥିଲା। ଯେଉଁଥିରେ ଭିକି କୌଶଲ ଏବଂ ରଶ୍ମିକା ମନ୍ଦାନା “ଲାଜିମ” ଗୀତରେ ନାଚୁଥିବାର ଦେଖାଯାଉଛି। ଯାହାକୁ ନେଇ ବିବାଦ ଦେଖାଦେଇଥିଲା।
ତେବେ ଏହି ଐତିହାସିକ ଫିଲ୍ମର ଏକ ବିଶେଷ ମହତ୍ତ୍ବ ରହିଛି । ଏହି ଫିଲ୍ମ ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ଛତ୍ରପତି ସଂମ୍ଭାଜୀ ମହାରାଜଙ୍କ ଉପରେ ଆଧାରିତ। ଫେବୃଆରୀ ୧୪ରେ ରିଲିଜ ହେବାକୁ ଯାଉଛି।
“ଛାବା” ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକର । ଫିଲ୍ମରେ ଭିକି କୌଶଲ ଶମ୍ଭାଜୀ ରାଓ ରାଜେଙ୍କ ଚରିତ୍ରରେ ଓ ରଶ୍ମିକା ମହାରାଣୀ ୟେସୁ ବାଇଙ୍କ ଚରିତ୍ରରେ ନଜର ଆସିଛନ୍ତି। ସେହିପରି ଔରଙ୍ଗଜେବ ଭୂମିକାରେ ନଜର ଆସିବେ ଅକ୍ଷୟ ଖାନ୍ନା । ଏହା ବ୍ୟତୀତ ଆଶୁତୋଷ ରାଣା, ବିନୀତ କୁମାର ସିଂହ, ଦିବ୍ୟା ଦତ୍ତା, ନୀଲ ଭୂପଲମ, ପ୍ରଦୀପ ରାୱତ ଏବଂ ଡାଏନା ପେଣ୍ଟି ଭଳି କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିବ।