ଶୀତଋତୁରେ ଶୀତ ଉଭାନ, କାଲିଠୁ ଖରା ଆରମ୍ଭ: ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଶୀତଋତୁରେ ଶୀତ ଉଭାନ। ରାଜ୍ୟରେ ନାହିଁ ସେମିତି ଥଣ୍ଡା। ସରିଗଲା ଶୀତ। ମାଘ ମାସ ଆହୁରି ୧୫ଦିନ ପରେ ‌ସରିବ। କିନ୍ତୁ ମାଘମାସରେ ଶୀତ କି ଜାଡ଼ ନାହିଁ। ଆସନ୍ତାକାଲି ଠାରୁ ଖରା ହେବ। ଏହାସହ ସବୁଠି ପାରଦ ବଢ଼ିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଏବେ ସବୁଆଡ଼େ ଗରମର ଅନୁଭୂତି ହେବ। ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ଆଗାମୀ ୪ ରୁ ୫ ଦିନ ଯାଏଁ ଦିନ ଏବଂ ରାତ୍ରି ତାପମାତ୍ରା ଅଧିକା ରହିବ। ଆଜି ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ବଢିଛି। କୋରାପୁଟ, କନ୍ଧମାଳ, ମୟୂରଭଂଜ ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟ ଥଣ୍ଡା ଅନୁଭୂତ ହେଉଥିବା ବେଳେ ରାଜ୍ୟରେ ବର୍ତ୍ତମାନ ଶୀତ ଉଭାନ ହୋଇଯାଇଛି। ଆସନ୍ତାକାଲି ଠାରୁ ଆଉ ଶୀତ ଅନୁଭୂତ ହେବ ନାହିଁ। ଶୀତର ସ୍ଥାନ ନେବ ଟାଇଁଟାଇଁ ଖରା। ସପ୍ତାହେ ଯାଏ ଗରମର ଅନୁଭୂତି ସହ ଖରାରୁ ତ୍ରାହି ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବୃଦ୍ଧି ଦେଖିବାକୁ ମିଳିବ। ଉପକୂଳ ଓଡ଼ିଶାରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ୪୮ ଘଣ୍ଟା ପାଇଁ ଘନ କୁହୁଡିର ୟେଲୋ ଆଲର୍ଟ ଜାରି ହୋଇଛି । ମାଲକାନଗିରି, ରାୟଗଡ଼ା, କୋରାପୁଟ , ଗଂଜାମ, କନ୍ଧମାଳ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂପୁର, କେନ୍ଦ୍ରାପଡା, କଟକ, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ଯାଜପୁର, କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାକୁ ସତର୍କ କରାଇଛି ବିଭାଗ।

ସେହିପରି ଆସନ୍ତାକାଲି ଗଂଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡା, ଅନୁଗୁଳ, ଜଗତସିଂହପୁର,କେନ୍ଦୁଝର ଓ ମୟୁରଭଞ୍ଜ ଏହି ୧୧ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୩୧ ତାରିଖରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ଉପକୂଳ ଓଡିଶାରେ ଦେଖିବାକୁ ମିଳିବ।

Leave A Reply

Your email address will not be published.