ଗୁଜରାଟରେ ଖୁବଶୀଘ୍ର ଲାଗୁ ହେବ ୟୁସିସି, ୫ ଜଣିଆ କମିଟି ଗଠନ

ଗାନ୍ଧୀନଗର: ପ୍ରଥମେ ଉତ୍ତରାଖଣ୍ଡ ପରେ, ଏବେ ଗୁଜରାଟରେ ଖୁବ ଶୀଘ୍ର ଲାଗୁ ହୋଇପାରେ ୟୁସିସି । ମୁଖ୍ୟମନ୍ତ୍ରୀ ଏକ ସମାନ ନାଗରିକ ସଂହିତା (ୟୁସିସି) ପ୍ରସ୍ତୁତ ଏବଂ ପ୍ରଣୟନ ପାଇଁ ଏକ ୫ ଜଣିଆ କମିଟି ଗଠନ କରିଛନ୍ତି । ଏନେଇ ଆଜି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି ।

ଗୁଜରାଟ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମାନ ନାଗରିକ ସଂହିତା ପ୍ରସ୍ତୁତ ଏବଂ ପ୍ରଣୟନ କରିବା ପାଇଁ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ରଞ୍ଜନା ଦେଶାଇଙ୍କ ନେତୃତ୍ୱରେ ଏକ ୫ ଜଣିଆ କମିଟି ଗଠନ କରାଯାଇଛି । କମିଟି ୪୫ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିବ । ଏହି ରିପୋର୍ଟ କୁ ଆଧାର କରି ସରକାର ନିଷ୍ପତ୍ତି ନେବେ ।

ଏହା ପୂର୍ବରୁ ଗୁଜରାଟ ସରକାର ୨୦୨୨ ମସିହାରେ ଏକ କମିଟି ଗଠନ କରିଥିଲେ । ରାଜ୍ୟରେ ୟୁସିସି ଆବଶ୍ୟକ କି ନାହିଁ ତାହା ଜାଣିବା ପାଇଁ ଏହି କମିଟି ଗଠନ କରାଯାଇଥିଲା । ଏହା ସହିତ, ପ୍ୟାନେଲ ଏହାର କାର୍ଯ୍ୟାନ୍ୱୟନ ପାଇଁ ଏକ ଖସଡ଼ା ପ୍ରସ୍ତୁତ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

ୟୁସିସି କଣ, କଣ ପରିବର୍ତ୍ତନ ହେବ?
ପ୍ରତ୍ୟେକ ଦେଶରେ ଆଇନ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ, ଫୌଜଦାରୀ ଏବଂ ଦେୱାନୀ। ଫୌଜଦାରୀ ଆଇନରେ ଚୋରି, ହତ୍ୟା କିମ୍ବା ହିଂସା ଭଳି ମାମଲା ଅନ୍ତର୍ଭୁକ୍ତ। ଏଥିରେ ସମସ୍ତ ଧର୍ମ ଏବଂ ସମ୍ପ୍ରଦାୟ ପାଇଁ ସମାନ ନିୟମ ଏବଂ ଦଣ୍ଡ ଅଛି। ବିବାହ, ଛାଡପତ୍ର, ସମ୍ପତ୍ତି ବିବାଦ ଭଳି ବ୍ୟକ୍ତିଗତ ମାମଲାରେ ଦେୱାନୀ ଆଇନ ପ୍ରଯୁଜ୍ୟ ହୁଏ । ଏଗୁଡ଼ିକ ପ୍ରତ୍ୟେକ ସମ୍ପ୍ରଦାୟର ପ୍ରଥା ଏବଂ ପରମ୍ପରା ଉପରେ ଆଧାରିତ ।

ଭାରତରେ ସମସ୍ତ ଧର୍ମର ନିଜସ୍ୱ ବ୍ୟକ୍ତିଗତ ଆଇନ ଅଛି । ଉଦାହରଣ ସ୍ୱରୂପ, ହିନ୍ଦୁମାନଙ୍କ ପାଇଁ, ବିବାହ ଏବଂ ଛାଡପତ୍ରର ନିୟମ ହିନ୍ଦୁ ବିବାହ ଆଇନ ଅଧୀନରେ, ଯେତେବେଳେ ମୁସଲମାନମାନଙ୍କ ପାଇଁ, ଏଗୁଡ଼ିକ ମୁସଲିମ ବ୍ୟକ୍ତିଗତ ଆଇନ ଅଧୀନରେ । ସେହିପରି, ଖ୍ରୀଷ୍ଟିଆନ ଏବଂ ଶିଖମାନଙ୍କ ପାଇଁ ମଧ୍ୟ ଭିନ୍ନ ଭିନ୍ନ ଆଇନ ଅଛି । ୟୁସିସି ମାଧ୍ୟମରେ, ସମସ୍ତ ଧର୍ମ ପାଇଁ ବିବାହ, ଛାଡପତ୍ର ଏବଂ ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ସମାନତା ଆଣିବାକୁ ଚେଷ୍ଟା କରାଯାଇଛି ।

Leave A Reply

Your email address will not be published.