ନୂଆଦିଲ୍ଲୀ: ଆମେରିକାରେ ଆଉ ଏକ ବିମାନ ଦୁର୍ଘଟଣା ଘଟିଛି । ରିପୋର୍ଟ ଅନୁଯାୟୀ, ଅଧିକାରୀମାନେ କହିଛନ୍ତି ଯେ ଏରିଜୋନା ସ୍କଟସଡେଲ ଏୟାରପୋର୍ଟରେ ବେସରକାରୀ ଜେଟ୍ ର ଧକ୍କା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ କିଛି ଲୋକ ଆହତ ହୋଇଛନ୍ତି | ଏହି ଦୁର୍ଘଟଣା ପରେ ରନୱେ ବନ୍ଦ କରି ଦିଆଯାଇଛି । ଗତ ୧୨ ଦିନରେ ଏହା ଚତୁର୍ଥ ବିମାନ ଦୁର୍ଘଟଣା ।
ସୂଚନାନୁସାରେ ପାର୍କ ହୋଇଥିବା ଏକ ବିଜନେସ ଜେଟକୁ ଏକ ମଧ୍ୟମ ଆକାରର ବିଜନେସ ଜେଟ୍ ଧକ୍କା ଦେଇଥିଲା । ଏକ ଜେଟ୍ ରନୱେରୁ ଓହ୍ଲେଇ ଯାଇ ପାର୍କ ହୋଇଥିବା ଗଲ୍ଫଷ୍ଟ୍ରିମ ୨୦୦ ଜେଟ ସହିତ ଧକ୍କା ହୋଇଥିଲା। ସ୍କଟସଡେଲ ଏୟାରପୋର୍ଟର ଜଣେ ଅଧିକାରୀଙ୍କ କହିବା ଅନୁସାରେ ଜେଟର ପ୍ରାଇମେରୀ ଲାଣ୍ଡିଂ ଗିୟର ବନ୍ଦ ହୋଇଯାଇଥିଲା, ଫଳରେ ଧକ୍କା ହୋଇଥିଲା । ଜେଟଟି ଟେକ୍ସାସରୁ ଆସିଥିଲା । ଏଥିରେ ୪ ଜଣ ଯାତ୍ରୀ ଥିଲେ । ସେହିପରି ପାର୍କ ହୋଇଥିବା ଜେଟରେ ଜଣେ ବ୍ୟକ୍ତି ରହିଥିଲେ ।
ସ୍କଟସଡେଲ ଅଗ୍ନିଶମ ବିଭାଗର କ୍ୟାପଟେନ ଡେଭ ଫୋଲିଓ କହିଛନ୍ତି ଯେ, ଏହି ଦୁର୍ଘଟଣାରେ ଆହତ ଦୁଇ ଜଣଙ୍କୁ ଟ୍ରମା ସେଣ୍ଟରକୁ ନିଆଯାଇଛି ଏବଂ ଜଣଙ୍କର ଅବସ୍ଥା ସ୍ଥିର ରହିଛି।
ଏହା ପୂର୍ବରୁ ଫେବୃଆରୀ ୩ରେ, ହ୍ୟୁଷ୍ଟନରୁ ନ୍ୟୁୟର୍କ ଅଭିମୁଖେ ଏକ ୟୁନାଇଟେଡ୍ ଏୟାରଲାଇନ୍ସର ବିମାନ ଉଡ଼ାଣ ଭରିବା ପୂର୍ବରୁ ଏହାର ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ସେହି ସମୟରେ ବିମାନକୁ ଖାଲି କରାଯାଇଥିଲା । ୧ଫେବୃଆରୀରେ ଆମେରିକାର ଫିଲାଡେଲଫିଆର ଋସଭେଲ୍ଟ ମଲ ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ହେଉଛି ଲିଅରଜେଟ୍ 55 ଏୟାରକ୍ରାଫ୍ଟ ।
ସେହିପରି ୩0 ଜାନୁଆରୀରେ ଆମେରିକାର ରାଜଧାନୀ ୱାଶିଂଟନ୍ ଡିସିରେ ରିଗନ ନ୍ୟାସନାଲ ଏୟାରପୋର୍ଟ ନିକଟରେ ଆମେରିକୀୟ ଏୟାରଲାଇନ୍ସର ଏକ ବିମାନ ଏବଂ ହେଲିକପ୍ଟର ମଧ୍ୟରେ ଆକାଶରେ ହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୬୭ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।