ଚାମ୍ପିଅନ୍ସ ଟ୍ରଫି ୨୦୨୫: ବିଜେତାଙ୍କୁ କୋଟିଏ ଓ ହାରିଲେ ବି କୋଟିଏ

ନୂଆଦିଲ୍ଲୀ: ଖେଳାଳି ହେବେ ମାଲାମାଲ୍ । ଆଇସିସି(ICC) ଆଗାମୀ ଚାମ୍ପିଅନ୍ସ ଟ୍ରଫି ପାଇଁ ପୁରସ୍କାର ରାଶି ଘୋଷଣା କରିଛି । ୨୦୧୭ରେ ଅନୁଷ୍ଠିତ ହୋଇଥିବା ଚାମ୍ପିଅନ୍ସ ଟ୍ରଫିର ପୁରସ୍କାର ରାଶି ତୁଳନାରେ ଚଳିତ ବର୍ଷ ୫୩ ପ୍ରତିଶତ ଅଧିକ ପୁରସ୍କାର ରାଶି ଘୋଷଣା କରିଛି ଆଇସିସି । ଆଇସିସି ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬.୯ ମିଲିୟନ ଡଲାର (ପ୍ରାୟ ୬୦ କୋଟି ଟଙ୍କା) ପୁରସ୍କାର ରାଶି ବଣ୍ଟନ କରିବ।

ସୂଚନାଥାଉକି, ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ତାରିଖ ଯାଏଁ ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ଓ ଦୁବାଇରେ ହାଇବ୍ରିଡ୍ ମଡେଲରେ ଖେଳାଯିବ । ତେବେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ବିଜେତା ଦଳ ୨.୨୪ ମିଲିୟନ ଡଲାର (ପ୍ରାୟ ୧୯.୪୫ କୋଟି ଟଙ୍କା) ପୁରସ୍କାର ରାଶି ପାଇବେ ଏବଂ ଉପବିଜେତା ୧.୧୨ ମିଲିୟନ ଡଲାର (ପ୍ରାୟ ୯.୭୩ କୋଟି ଟଙ୍କା) ପୁରସ୍କାର ରାଶି ପାଇବ। ଉଭୟ ପରାଜିତ ସେମିଫାଇନାଲ ଦଳ ସମାନ ପରିମାଣର ୫,୬୦,୦୦୦ ଡଲାର (ପ୍ରାୟ ୪.୮୬ କୋଟି ଟଙ୍କା) ପାଇବେ।

ସେହିପରି ଗ୍ରୁପ୍ ପର୍ଯ୍ୟାୟରେ ମ୍ୟାଚ୍ ଜିତିଲେ ଦଳକୁ ୩୪୦୦୦ ଡଲାର (ପ୍ରାୟ ୨୯.୫୩ ଲକ୍ଷ ଟଙ୍କା) ମିଳିବ।

ଖବରମୁତାବକ, ପଞ୍ଚମ ଏବଂ ଷଷ୍ଠ ସ୍ଥାନ ଅଧିକାର କରୁଥିବା ଦଳଗୁଡ଼ିକୁ ସମାନ ପରିମାଣର ୩୫୦୦୦୦ ଡଲାର (ପ୍ରାୟ ୩.୦୪ କୋଟି ଟଙ୍କା), ସପ୍ତମ ଏବଂ ଅଷ୍ଟମ ସ୍ଥାନ ଅଧିକାର କରୁଥିବା ଦଳଗୁଡ଼ିକୁ ସମାନ ପରିମାଣର ୧୪୦୦୦୦ ଡଲାର (ପ୍ରାୟ ୧.୨୨ କୋଟି ଟଙ୍କା) ମିଳିବ।

ଏହା ବ୍ୟତୀତ ସମସ୍ତ ଆଠଟି ଦଳକୁ ୧୨୫୦୦୦ ଡଲାର (ପ୍ରାୟ ୧.୦୯ କୋଟି ଟଙ୍କା) ଗ୍ୟାରେଣ୍ଟି ଦିଆଯିବ। ଅର୍ଥାତ୍ ସମସ୍ତ ଆଠଟି ଦଳକୁ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ ପାଇଁ ପ୍ରାୟ ୧.୦୯ କୋଟି ଟଙ୍କା ମିଳିବ ।

ସୂଚନାଥାଉକି, ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ୧୯ ଫେବୃଆରୀରେ କରାଚି ଠାରେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଟିମ୍ ଇଣ୍ଡିଆ ତାର ପ୍ରଥମ ମ୍ୟାଚ୍ ୨୦ ଫେବୃଆରୀରେ ଦୁବାଇରେ ବାଂଲାଦେଶ ବିପକ୍ଷରେ ଖେଳିବ।

Leave A Reply

Your email address will not be published.