ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହାଙ୍କ ବିଷୟରେ ଜାଣିବାକୁ ପ୍ରାୟ ସମସ୍ତଙ୍କ ଇଚ୍ଛା ଥାଏ । ତାଙ୍କ ଫିଟର ରହସ୍ୟ, ତାଙ୍କ ଡାଏଟ୍ ପ୍ଲାନ, ତାଙ୍କ ବ୍ୟକ୍ତିଗତ ଜୀବନ ଆଦି ସମସ୍ତେ ଜାଣିବାକୁ ଉଚ୍ଛୁକ ଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ତାଙ୍କ ଡାଏଟ୍ ପ୍ଲାନ ବିଷୟରେ ଜଣେଇବାକୁ ଯାଉଛୁ । ଯାହା ସବୁରି ଭିତରେ ଚର୍ଚ୍ଚାର ବିଷୟ ପାଲଟିଥାଏ । ତେବେ ବିଗତ ଦିନରେ ଆପଣମାନେ ମୋଦି ଉପବାସରେ କଣ ଖାଆନ୍ତି ସେ ବିଷୟରେ ତ ଜାଣିଥିବେ । କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ ମୋଦୀ ନିଜକୁ ସୁସ୍ଥ ରଖିବା ପାଇଁ ଏକ ସ୍ୱତନ୍ତ୍ର ଡାଏଟ୍ ପ୍ଲାନ ଅନୁସରଣ କରୁଛନ୍ତି।
ଏହି ଡାଏଟ୍ ପ୍ଲାନରେ ଓଜନ ବଜାୟ ରଖିବା ସହ ଦିନସାରା କାର୍ଯ୍ୟ କରିବା ସତ୍ତ୍ଵେ ମଧ୍ୟ କିପରି ସକ୍ରିୟ ରହି ପାରିବେ ତାହା ଉଲ୍ଲେଖ ରହିଛି । ଏହି ପ୍ଲାନରେ ବ୍ୟକ୍ତି ଜଣଙ୍କ କ’ଣ ଖାଇବେ ସେନେଇ କୌଣସି କଟକଣା ନାହିଁ ବରଂ ଖାଇବାର ସମୟ ସ୍ଥିର କରାଯାଇଛି। ଏହି ଡାଏଟ୍ ପ୍ଲାନରେ ପ୍ରଧାନମନ୍ତ୍ରୀ ମୋଦି ଦିନକୁ ଦୁଇଥର ଖାଦ୍ୟ ଖାଆନ୍ତି। ସକାଳ ୧୦ଟା ୫୫ ମିନିଟରେ ଏବଂ ସନ୍ଧ୍ୟା ୭ଟା ୫୫ ମିନିଟରେ । ଏହି ପ୍ଲାନରେ ଖାଦ୍ୟରେ ଅଧିକ ପ୍ରୋଟିନ ଏବଂ କମ୍ କାର୍ବୋହାଇଡ୍ରେଟ୍ ରଖିବାକୁ ପରାମର୍ଶ ଦିଆଯାଇଛି। ଏହାଛଡା ସକାଳେ ଚାଲିବା ଅତ୍ୟନ୍ତ ଜରୁରୀ ବୋଲି ମଧ୍ୟ କୁହାଯାଇଛି।
ଆପଣଙ୍କୁ ଜଣାଇ ଦେଉଛୁ ଯେ ନବରାତ୍ରି ସମୟରେ ପ୍ରଧାନମନ୍ତ୍ରୀ ମୋଦି କେବଳ ନଡ଼ିଆ ପାଣି ଏବଂ ଉଷୁମ ଲେମ୍ବୁ ପାଣି ସେବନ କରନ୍ତି। ଏହା ବ୍ୟତୀତ, ସାଧାରଣ ଦିନଗୁଡ଼ିକରେ ପ୍ରଧାନମନ୍ତ୍ରୀ ମୋଦି ଜଳଖିଆରେ ଗୁଜୁରାଟୀ ଖାଦ୍ୟ ଭକଡୀ, ଖାଣ୍ଡୱି, ଇଡଲି ସମ୍ବର, ଢୋକଲା, ଦୋସା, ପୋହା ଏବଂ ମଧ୍ୟାହ୍ନ ଭୋଜନରେ ହାଲୁକା ଗୁଜୁରାଟୀ କିମ୍ବା ଦକ୍ଷିଣ ଭାରତୀୟ ଖାଦ୍ୟ ଖାଆନ୍ତି । ନିକଟରେ ଏକ ସୂଚନା ଅଧିକାର ଆଇନରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଖାଦ୍ୟ ଖର୍ଚ୍ଚ ସମ୍ପର୍କରେ ଏକ ପ୍ରଶ୍ନ ପଚରାଯାଇଥିଲା। ଏନେଇ କେନ୍ଦ୍ରୀୟ ସୂଚନା ଅଧିକାରୀ ବିସ୍ତୃତ ଭାବରେ ଉତ୍ତର ଦେଇଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦି ନିଜ ଖାଦ୍ୟ ଖର୍ଚ୍ଚ ନିଜେ ବହନ କରନ୍ତି। ଅର୍ଥାତ୍ ତାଙ୍କ ଖାଦ୍ୟ ପାଇଁ ସରକାରୀ ଭାବେ କୌଣସି ଟଙ୍କା ଖର୍ଚ୍ଚ ହୁଏ ନାହିଁ ।
ସୂତ୍ରାନୁଯାୟୀ, ମୋଦି ନିଜର ଦୈନନ୍ଦିନ ଖାଦ୍ୟରେ ୫୦ ଟଙ୍କା ଖର୍ଚ୍ଚ କରନ୍ତି । ଯାହା ଜଣେ ସାଧାରଣ ଲୋକର ଖାଦ୍ୟର ଦାମ ଭଳି । ତେବେ କହିରଖୁଛୁ ଯେ, ପ୍ରଧାନମନ୍ତ୍ରୀ ମୋଦି ସାଧାରଣତଃ ଗୁଜୁରାଟୀ ଖାଦ୍ୟ ପସନ୍ଦ କରନ୍ତି। ସେ ତାଙ୍କ ରୋଷେଇଆ ବଦ୍ରି ମୀନାଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଖାଆନ୍ତି। ତାଙ୍କ ସବୁଠାରୁ ପ୍ରିୟ ଖାଦ୍ୟ ହେଇଛି ବାଜରା ରୁଟି ଏବଂ ଖିଚଡି ।