ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ବହୁମାତ୍ରାରେ ମେଦବହୁଳତାର ଶିକାର ହେଉଛନ୍ତି । ମୋଟାପଣ କେବଳ ବ୍ୟକ୍ତିର ଆତ୍ମବିଶ୍ୱାସ ସ୍ତରକୁ ହ୍ରାସ କରେ ନାହିଁ ବରଂ ଏହା ଅନେକ ରୋଗ ମଧ୍ୟ ସୃଷ୍ଟି କରେ । ଏଭଳି ପରିସ୍ଥିତିରେ ସମସ୍ତେ ଫିଟ୍ ହେବାକୁ ଚାହାଁନ୍ତି । ତେବେ ଆପଣ ବି ଓଜନ କମାଇବା ପାଇଁ ଡାଇଟିଙ୍ଗ୍, ଜଙ୍ଗିଙ୍ଗ୍ ଓ ଜିମ୍ ଯାଇ ଥକି ଗଲେଣି କି । ଯଦି ହଁ ତାହାଲେ ଏ ଖବର ଆପଣଙ୍କ ପାଇଁ । ଏଣିକି ସହଜରେ ମିଳିବ ମୋଟାପଣରୁ ମୁକ୍ତି । କାରଣ ଆମେରିକୀୟ ମଲ୍ଟି ନ୍ୟାଶନାଲ ଫାର୍ମାସ୍ୟୁଟିକାଲ କମ୍ପାନୀ ଏଲି ଲିଲୀ ପକ୍ଷରୁ ଭାରତରେ ମେଦ ବହୁଳତା ଏବଂ ଟାଇପ୍ ୨ ମଧୁମେହ ପାଇଁ ‘ମୌନଜାରୋ’ ନାମକ ଇଞ୍ଜେକ୍ଶନ୍କୁ ଲଞ୍ଚ୍ କରାଯାଇଛି।
ଏହି ଇଞ୍ଜେକ୍ସନକୁ ଭାରତର ସିଡିଏସ୍ସିଓ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ଉଭୟ ଜିଆଇପି ଏବଂ ଜିଏଲ୍ପି-୧ ହରମୋନ ରିସେପ୍ଟରଗୁଡ଼ିକୁ ସକ୍ରିୟ କରିଥାଏ । ଏହି ଇଞ୍ଜେକ୍ସନର ନାଁ ରହିଛି ମୌନଜାରୋ ଇଞ୍ଜେକ୍ଶନ୍ । ଏହାର କ୍ଲିନିକାଲ ପରୀକ୍ଷଣରେ ଏହା ଓଜନ ହ୍ରାସ, ଭୋକ ନିୟନ୍ତ୍ରଣ ସହ ରକ୍ତରେ ଶର୍କରାର ମାତ୍ରାକୁ କମାଇପାରୁଥିବା ନେଇ ଜଣାପଡ଼ିଥିଲା । ମୌନଜାରୋ ଇଞ୍ଜେକ୍ଶନ୍ର ୫ ଏମ୍ଜି ଭାଏଲର ଦାମ ଭାରତରେ ୪,୩୭୫ ଟଙ୍କା ରଖାଯାଇଥିବାବେଳେ ୨.୫ ଏମ୍ଜି ଭାଏଲର ମୂଲ୍ୟ ୩,୫୦୦ ଟଙ୍କା ରଖାଯାଇଛି। ମୌନଜାରୋର ରାସାୟନିକ ନାମ ହେଉଛି ତିର୍ଜେପାଟାଇଡ୍।
ଏନେଇ ଏଲି ଲିଲୀ ଇଣ୍ଡିଆର ସଭାପତି ଓ୍ବିନ୍ସେଲୋ ଟକର କହିଛନ୍ତି, ଭାରତରେ ପ୍ରାୟ ୧୦.୧ କୋଟି ଲୋକ ମଧୁମେହ ରୋଗରେ ପୀଡ଼ିତ ଏବଂ ମୋଟାପଣ ହେଉଛି ମଧୁମେହ ରୋଗର ଏକ ପ୍ରମୁଖ କାରଣ। ଭାରତରେ ଡାଇବେଟିସ୍ ଏବଂ ମେଦ ବହୁଳତା ସମ୍ପର୍କିତ ସଚେତନତା ବୃଦ୍ଧି ଏବଂ ଚିକିତ୍ସା ବିକଳ୍ପଗୁଡ଼ିକୁ ଉନ୍ନତ କରିବା ପାଇଁ ଏଲି ଲିଲୀ କମ୍ପାନୀ ପକ୍ଷରୁ ସରକାର ଏବଂ ସ୍ବାସ୍ଥ୍ୟସେବା ଶିଳ୍ପଗୁଡ଼ିକ ସହ ମିଳିତ ଭାବେ କାମ କରାଯାଉଛି। ମୌନଜାରୋ ଲୋକଙ୍କ ମୋଟାପଣକୁ କମାଇବା ସହ ଓଜନ ହ୍ରାସ କରିବାରେ ଏକ ନୂତନ ଏବଂ ପ୍ରଭାବଶାଳୀ ଉପାୟ ଭାବେ ପ୍ରମାଣିତ ହେବ ବୋଲି ଓ୍ବିନ୍ସେଲୋ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।