ଥାଇଲାଣ୍ଡରେ ଏମର୍ଜେନ୍ସୀ, ଉଦବେଗ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲଗାତାର ଦୁଇଟି ଭୂକମ୍ପରେ ଥରିଲା ମିଆଁମାର। ଭୂକମ୍ପର ଝଟକାରେ ବ୍ଯାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ବ୍ୟାଙ୍କକରେ ଜାରି ହୋଇଛି ଜରୁରୀକାଳୀନ ପରିସ୍ଥିତି। ମିଆଁମାରର ଇରାବାଡି ନଦୀ ଉପରେ ଥିବା ଐତିହାସିକ ଆଭା ବ୍ରିଜ ଧସିଯାଇଥିବା ସୂଚନା ମିଳିଛି। ମିଆଁମାରର ସାଗାଇଙ୍ଗ ରହିଥିଲା ଭୂକମ୍ପର କେନ୍ଦ୍ରସ୍ଥଳ।

ଅନ୍ୟପଟେ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ମୋଦୀ କହିଛନ୍ତି, ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ହୋଇଥିବା ଭୂମିକମ୍ପ ପରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ନେଇ ମୁଁ ଚିନ୍ତିତ । ସମସ୍ତଙ୍କ ସୁରକ୍ଷା ଏବଂ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି । ଭାରତ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ରହିଛି । ଏହି ପରିପ୍ରେକ୍ଷୀରେ, ଆମର କର୍ତ୍ତୃପକ୍ଷଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଏହା ସହିତ ମିଆଁମାର ଏବଂ ଥାଇଲ୍ୟାଣ୍ଡ ସରକାରଙ୍କ ସହିତ ଯୋଗାଯୋଗରେ ରହିବାକୁ ମଧ୍ୟ ବିଦେଶ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଥିବା କହିଛନ୍ତି ମୋଦୀ ।

ପ୍ରାଥମିକ ସୂଚନା ଅନୁସାରେ, ବିଭିନ୍ନ ସ୍ଥାନରେ କୋଠା ଭୁଶୁଡିଥିବା ଚିତ୍ର ସାମ୍ନାକୁ ଆସିଛି । ୪୩ ଜଣ କୋଠା ତଳେ ଚାପି ରହିଥିବା କୁହାଯାଉଛି । ସେହିପରି ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଥାଇଲାଣ୍ଡରେ ଏମର୍ଜେନ୍ସୀ ଜାରି କରିଛନ୍ତି ସରକାର ।

Leave A Reply

Your email address will not be published.