ବିଜେଡିକୁ କିଏ କରୁଛି ହାଇଜାକ୍?

ଭୁବନେଶ୍ବର: ବିଜେଡିରେ ଥମୁନି ଅସନ୍ତୋଷ । ଜଣକ ପରେ ଜଣେ ବରିଷ୍ଠ ନେତା ଓ୍ବକଫ୍ ଭୋଟକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ଏହି କ୍ରମରେ ଯୋଡି ହୋଇଛନ୍ତି ଦଳର ବରିଷ୍ଠ ନେତା ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ରାଜା ସ୍ବାଇଁ । ସେଥିରେ ଓ୍ବକଫ୍ ଭୋଟ ବିବାଦ ପରେ ଧର୍ମନିରପେକ୍ଷତାକୁ ନେଇ ଦଳର ଆଭିମୁଖ୍ୟ ଉପରେ ପ୍ରଶ୍ନଚିହ୍ନ ଲାଗିଛି । କିଛି ଲୋକଙ୍କୁ ଦଳର ସଂଗଠନକୁ ହାଇଜାକ୍ କରିବାକୁ ଦିଆନଯାଉ ବୋଲି ସେ ଲେଖିଛନ୍ତି । ତେବେ ପ୍ରଶ୍ନ ଉଠୁଛି, କିଏ ବିଜେଡିକୁ ହାଇଜାକ୍ କରୁଛି? କାହା ଆଡକୁ ଇସାରା କରୁଛନ୍ତି ରାଜା? ସେପଟେ ପୁଣି ପଦାରେ ପଡିଛି ସାଂସଦ ସୁଲତା ଦେଓ ଓ ଦେବାଶିଷ ସାମନ୍ତରାୟଙ୍କ କଳି ।

ବିଜେଡିକୁ କିଏ କରୁଛି ହାଇଜାକ୍?

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଦଳର ବରିଷ୍ଠ ନେତା ରାଜା ସ୍ବାଇଁଙ୍କ ଚିଠିକୁ ନେଇ ସରଗରମ ହୋଇଛି ରାଜନୀତି । ଚିଠିରେ ଦଳକୁ କିଛି ଲୋକଙ୍କୁ ହାଇଜାକ୍ କରିବାକୁ ସୁଯୋଗ ନଦେବାକୁ ଲେଖିଛନ୍ତି ରାଜା ସ୍ବାଇଁ । ତେବେ ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ରାଜା ଚିଠିରେ କାହାକୁ ଇଙ୍ଗିତ କରୁଛନ୍ତି, ତାକୁ ନେଇ ଚର୍ଚ୍ଚା ହେଉଛି । ଓ୍ବକଫ୍ ବିବାଦ ଧର୍ମନିରପେକ୍ଷତାକୁ ନେଇ ବିଜେଡିର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି । ତେଣୁ ଦଳ ସାମାଜିକ ନ୍ୟାୟ ଓ ଧର୍ମନିରପେକ୍ଷତା ନେଇ ଦଳ ସ୍ପଷ୍ଟ ଆଭିମୁଖ୍ୟ ଆଣିବା ସହ ଦଳର କ୍ୟାଡରଙ୍କୁ ବିଶ୍ବାସକୁ ନେଇ ଆଗକୁ ବଢିବାକୁ ଲେଖିଛନ୍ତି । ଏହାସହ ସଂଗଠନରେ ସଂରକ୍ଷଣ ନେଇ ମଧ୍ୟ ନବୀନଙ୍କୁ ପ୍ରସ୍ତାବ ଦେଇଛନ୍ତି ରାଜା ସ୍ବାଇଁ ।

ରାଜାଙ୍କ ଚିଠି ଦେବୀଙ୍କ ପ୍ରତିକ୍ରିୟା

ନବୀନଙ୍କୁ ରାଜା ସ୍ବାଇଁଙ୍କ ଚିଠିକୁ ନେଇ ରାଜନୀତି ଜୋରଦାର ହୋଇଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର । ହାଇଜାକ୍ କଥା ରାଜା ଭଲରେ ବୁଝାଇ ପାରିବେ । ହାଇଜାକ୍ ବିଷୟରେ ବେଶୀ ଜାଣିଥିବେ, ତାଙ୍କର ସେ ବିଷୟରେ ଉପଲବ୍ଧି ଥିବ । ଆଗରୁ କିଏ ହାଇଜାକ୍ କରିଦେଇଛି କି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଦେବୀ ମିଶ୍ର । ଏହାସହ ସଂଗଠନରେ ସମସ୍ତଙ୍କୁ ନେଇ ଚାଲୁଛୁ, ସବୁ ବର୍ଗଙ୍କୁ କାମ ଦେଉଛୁ ବୋଲି କହିଛନ୍ତି ।

ସୁଲତାଙ୍କୁ ଦେବାଶିଷଙ୍କ ଟାର୍ଗେଟ୍ !

ବିଜେଡିରେ ଓ୍ବକଫ୍ ନିଆଁ ଥମିବାର ନାଁ ନେଉନି । ସାଂସଦ ସୁଲତା ଦେଓଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ତାଙ୍କ ଉପରେ ବର୍ଷିଛନ୍ତି ଦେବାଶିଷ ସାମନ୍ତରାୟ । ମୁଖିଆ କହିବା ପରେ କାହାର କିଛି କହିବାର ଅଧିକାର ନାହିଁ । ଦେବାଶିଷ କେବେ ଦଳକୁ ଆସିଛନ୍ତି ସୁଲତା କେବେ ଆସିଛନ୍ତି, ସେଥିରେ ଫରକ ଅଛି । ଜୁନିଅର ହୋଇ ଦଳର ଶୃଙ୍ଖଳା ଭଙ୍ଗ କରୁଛନ୍ତି । ଏନେଇ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି, ସେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଦେବାଶିଷ କହିଛନ୍ତି । ଓ୍ବକଫ୍ ବିଲକୁ ଆରମ୍ଭରୁ ବିରୋଧ କରୁଥିବା ବିଜେଡି ଶେଷ ମୁହୁର୍ତ୍ତରେ ବିବେକ ଅନୁସାରେ ଭୋଟ୍ ଦେବାକୁ ନିଷ୍ପତି ନେବାକୁ ଦଳ ଭିତରୁ ହିଁ ବିରୋଧ କରାଯାଉଛି। ଏହାକୁ ନେଇ ଦେବାଶିଷ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିବା ପରେ ତାଙ୍କ ବିରୋଧରେ ସୁଲତା ଦେଓଙ୍କ ସହ ଅନ୍ୟ କିଛି ସାଂସଦ ବାହାରିଥିଲେ । ସୋସିଆଲ ମିଡିଆରେ ଖୋଲାଖୋଲି ଆରୋପ ପ୍ରତ୍ୟାରୋପ ହୋଇଥିଲା ।

Leave A Reply

Your email address will not be published.