ରାଜ୍ୟର ୧୬ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପିଲା, ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଓଡ଼ିଶାର ୧୬ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଟପିଛି।

ଝାରସୁଗୁଡ଼ାରେ ୪୫.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଯାହା ରାଜ୍ୟର ସର୍ବାଧିକ ତାପମାତ୍ରା। ଏପ୍ରିଲ ମାସରେ ସର୍ବକାଳୀନ ସର୍ବାଧିକ ୪୬.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା। ଗତ ସୋମବାର ଏଠାରେ ୪୫.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିଲା। ଏହା ମହାରାଷ୍ଟ୍ରର ଚନ୍ଦ୍ରପୁର ପରେ ଦେଶର ଦ୍ୱିତୀୟ ଉତ୍ତପ୍ତ ସହର ହୋଇଥିଲା।

ସେହିପରି ରାଜ୍ୟର ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିଲା। ସେଗୁଡ଼ିକ ମଧ୍ୟରେ ରହିଛି ଟିଟଲାଗଡ଼ (୪୪ ଡିଗ୍ରୀ ସେଲସିୟସ), ସମ୍ବଲପୁର ଏବଂ ବୌଦ୍ଧରେ (୪୩.୮ ଡିଗ୍ରୀ ସେଲସିୟସ), ବଲାଙ୍ଗୀର (୪୩.୭ ଡିଗ୍ରୀ ସେଲସିୟସ), ସୁନ୍ଦରଗଡ଼ ଏବଂ ହୀରାକୁଦରେ ୪୩.୪ ଡିଗ୍ରୀ ସେଲସିୟସ, ସୋନପୁର (୪୩.୨ ଡିଗ୍ରୀ ସେଲସିୟସ), ଅନୁଗୁଳ (୪୨.୯ ଡିଗ୍ରୀ ସେଲସିୟସ), ଭବାନୀପାଟଣା (୪୨.୫ ଡିଗ୍ରୀ ସେଲସିୟସ), ତାଳଚେର ଏବଂ ରାଉରକେଲାରେ (୪୨.୪ ଡିଗ୍ରୀ ସେଲସିୟସ), ବରଗଡ଼ (୪୨.୨ ଡିଗ୍ରୀ ସେଲସିୟସ), ନୂଆପଡ଼ା (୪୨ ଡିଗ୍ରୀ ସେଲସିୟସ), ପାରଳାଖେମୁଣ୍ଡି (୪୧ ଡିଗ୍ରୀ ସେଲସିୟସ) ଏବଂ ବାରିପଦା (୪୦.୨ ଡିଗ୍ରୀ ସେଲସିୟସ)। ଭୁବନେଶ୍ୱର ଏବଂ କଟକ ସହରର ତାପମାତ୍ରା ୩୭.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ରାଜ୍ୟରେ ୨୬ ଏପ୍ରିଲ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ, ଗରମ, ଆର୍ଦ୍ରତା ଏବଂ ରାତି ଉଷ୍ମ ନେଇ ଆଲର୍ଟ ଜାରି କରାଯାଇଛି। ଏହି ସମୟରେ ଝାରସୁଗୁଡ଼ା, ଅନୁଗୁଳ, ସମ୍ବଲପୁର, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ ଏବଂ ବରଗଡ଼ରେ ପାରଦ ୪୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ବୋଲି ପାଣିପାଗ ପକ୍ଷରୁ ଆକଳନ କରାଯାଇଛି।

Leave A Reply

Your email address will not be published.