ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ପକ୍ଷରୁ କଳିଙ୍ଗ ଉତ୍ସବ ଆୟୋଜିତ

ପର୍ଥ: ଅଷ୍ଟ୍ରେଲିଆ ଓଡ଼ିଆ ସମାଜ (ଓରିଓଜ ଇଙ୍କ) ପକ୍ଷରୁ ନିକଟରେ କଳିଙ୍ଗ ଉତ୍ସବ ମହାସମାରୋହରେ ଆୟୋଜନ କରାଯାଇଛି। ପର୍ଥସ୍ଥିତ ସବୁଜିମା ଭରା ପଏଣ୍ଟ ୱାଲ୍ଟର ରିକ୍ରିଏସନ ସେଣ୍ଟରକୁ ଖୁବ ସରସ ସୁନ୍ଦର ଭାବରେ ସଜାଯାଇଥିବା ଦେଖାଯାଇଥିଲା। ଏଠାରେ ଆୟୋଜିତ ଏକାଦଶତମ ତିନିଦିନିଆ ଦ୍ଵିବାର୍ଷିକ ଓଡ଼ିଆ ସମ୍ପ୍ରଦାୟଙ୍କ ବନ୍ଧୁ ମିଳନ ବେଶ ଅନନ୍ୟ ଓ ନିଆରା ଥିଲା।

ଓଡ଼ିଆ ଜାତି ଓ ଓଡ଼ିଶା ରାଜ୍ୟର ମହତ୍ୱ, ମହାନତା ଓ ମହନୀୟତାକୁ ବଳିଷ୍ଠ ଢଙ୍ଗରେ ଉପସ୍ଥାପନ କରିବା, ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଓଡ଼ିଶାର ଉତ୍କୃଷ୍ଟ କଳା, ମହାନ ସଂସ୍କୃତି, ଉନ୍ନତ ପରମ୍ପରା, ଉତ୍ତୁଙ୍ଗ ଐତିହ୍ୟ, ଭାଷାଗତ ମାଧୁର୍ଯ୍ୟ ଏବଂ ବ୍ୟଞ୍ଜନର ଚାତୁର୍ଯ୍ୟର ଭବ୍ୟ ପ୍ରଦର୍ଶନ ଏହି ସମ୍ମିଳନୀରେ ଘଟିଥିଲା। ଏହି ଶୀର୍ଷ ବୈଠକରେ ଅଷ୍ଟ୍ରେଲିଆର ପ୍ରତ୍ୟେକ ପ୍ରଦେଶରୁ ଆସିଥିବା ଶତାଧିକ ଓରିଓଜର ସଦସ୍ୟ ଏବଂ ପଦାଧିକାରୀମାନେ ସେମାନଙ୍କର ପରିବାର ବର୍ଗଙ୍କ ସହିତ ଗୋଟିଏ ଛାତ ତଳେ ଏକ ମଞ୍ଚରେ ସମ୍ମିଳିତ ହୋଇ ପରସ୍ପର ମଧ୍ୟରେ ଥିବା ଘନିଷ୍ଠ ବନ୍ଧନ ଏବଂ ନିବିଡ଼ ଭାତୃତ୍ୱ ଭାବକୁ ଉଜାଗର କରିବାର ଭରପୁର ସୁଯୋଗ ଲାଭ କରିଥିଲେ।

 

ଆମନ୍ତ୍ରିତ ଅତିଥି ଏବଂ ଆୟୋଜକ ନେତୃବୃନ୍ଦଙ୍କ ଦ୍ୱାରା ପାରମ୍ପରିକ ପ୍ରଦୀପ ପ୍ରଜ୍ବଳନ ସହିତ ଉତ୍ସବର ଶୁଭାରମ୍ଭ ହୋଇଥିଲା। ବିଶିଷ୍ଟ ଅତିଥି ଭାବରେ ପର୍ଥଠାରେ ଅବସ୍ଥାପିତ ଭାରତୀୟ କନସଲ ଜେନେରାଲ ନରେଶ କୁମାର ଏବଂ ପଶ୍ଚିମ ଅଷ୍ଟ୍ରେଲିଆ ସ୍ଥିତ ଭାରତୀୟ ସମାଜର ସଭାପତି ଦୀପକ ଶର୍ମା ଯୋଗ ଦେଇଥିଲେ।

ଓରିଓଜର ସଭାପତି ଡଃ ମନୋଜ ନାୟକ ଏବଂ ପଶ୍ଚିମ ଅଷ୍ଟ୍ରେଲିଆ ପ୍ରଦେଶର ମୁଖ୍ୟ ବିଘ୍ନରାଜ ମହାନ୍ତି ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ନରେଶ କୁମାର ଓ ଦୀପକ ଶର୍ମା ସେମାନଙ୍କର ଅଭିଭାଷଣରେ ଅଷ୍ଟ୍ରେଲିଆର ବହୁବିଧ ସଂସ୍କୃତି ସମ୍ପନ୍ନ ସମାଜର ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଓରିଓଜ ଇଙ୍କ ବ୍ୟାପକ ଭାବେ ଯୋଗଦାନ ଦେଇ ଆସୁଥିବା ଦର୍ଶାଇଥିଲେ।

ସ୍ୱାଗତ ଭାଷଣ ପ୍ରଦାନ କରି ଓରିଓଜ ଇଙ୍କର ସଭାପତି ଡଃ. ମନୋଜ ନାୟକ, ବୃହତକାୟ ଅଷ୍ଟ୍ରେଲିଆ ମହାଦେଶର ଭୌଗଳିକ ଦୂରତ୍ୱର ପ୍ରତିବନ୍ଧକକୁ ଭୃକ୍ଷେପ ନକରି ଓରିଓଜର ବର୍ତ୍ତମାନର କାର୍ଯକାରୀ କମିଟିର ସଦସ୍ୟମାନେ ଯେଭଳି ଗଠନମୂଳକ କାର୍ଯ୍ୟକ୍ରମ ଓ ଗୁଣାତ୍ମକ ଘଟଣାବଳୀ ଜରିଆରେ ସମଗ୍ର ଓଡ଼ିଆ ସମ୍ପ୍ରଦାୟକୁ ସଦା ଜାଗ୍ରତ କରି ରଖିଆସିଛନ୍ତି। ତାହା ପ୍ରକୃତରେ ପ୍ରଶଂସନୀୟ ବୋଲି କହିଥିଲେ। କଳିଙ୍ଗ ଉତ୍ସବର ଆୟୋଜନକାରୀମାନେ ସୀମିତ ମାନବ ସମ୍ବଳ ସତ୍ତ୍ୱେ ସେମାନଙ୍କର ଉଦଯୋଗ ଏବଂ ଉତ୍ସର୍ଗୀକୃତ ସାଧନା ଯୋଗୁଁ ଯେପରି ବିଶାଳ ଓ ବ୍ୟାପକ ଭାବରେ କଳିଙ୍ଗ ଉତ୍ସବ ଆୟୋଜନ କରିପାରିଲେ ତାହା ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ ବୋଲି ଡଃ. ନାୟକ ଦର୍ଶାଇଥିଲେ। ଓରିଓଜର ସମ୍ପାଦକ ଶାନ୍ତନୁ ସ୍ୱାଇଁଙ୍କ ଦ୍ୱାରା ସଙ୍କଳିତ ଏବଂ ଆଇଟି ସମ୍ପାଦକ ଜୟ ବେହେରାଙ୍କର ଅଳଙ୍କରଣରେ ପ୍ରକାଶିତ “ସ୍ମରଣିକା : କଳିଙ୍ଗ ଉତ୍ସବ-୨୦୨୫” କୁ ଡଃ. ନାୟକ ଉନ୍ମୋଚନ କରିଥିଲେ।

Leave A Reply

Your email address will not be published.