ଭାରତ ଉପରେ ପ୍ରତି ଆକ୍ରମଣ କରିପାରେ ପାକ୍, ଏଭଳି ନିର୍ଦ୍ଦେଶ ଦେଲେ ଶହବାଜ୍ ଶରିଫ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରି ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତୀୟ ସେନା। ଯାହାପରେ ବୁଧବାର  ପାକିସ୍ତାନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଭାରତୀୟ ଏୟାର ଷ୍ଟ୍ରାଇକ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ଅଧ୍ୟକ୍ଷତାରେ ଜାତୀୟ ସୁରକ୍ଷା ପରିଷଦ (ଏନଏସସି)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ କ୍ୟାବିନେଟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସମସ୍ତ ସଶସ୍ତ୍ର ବାହିନୀ ମୁଖ୍ୟ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏନଏସସି ବୈଠକ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ବେଳେ ପାକିସ୍ତାନୀ ସେନା ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କଠାରୁ ସ୍ଵାଧୀନତା ଚାହିଁଥିଲେ। ଏହା ଉପରେ ଶହବାଜ କହିଥିଲେ ଯେ ସେନାର ପୂର୍ଣ୍ଣ କ୍ଷମତା ରହିଛି।

ପାକିସ୍ତାନ ପ୍ରତିଥର ପରି ପୁଣିଥରେ କହିଛି ଯେ ତାଙ୍କ ଅଞ୍ଚଳରେ କୌଣସି ଆତଙ୍କବାଦୀ ଶିବିର ନାହିଁ। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ପାକିସ୍ତାନ ତଦନ୍ତ ଦାବି କରିଥିବା କଥା ଦୋହରାଇଛି।

ତେବେ ଭାରତର ଏୟାର ଷ୍ଟ୍ରାଇକରେ ଭୟଭୀତ ପାକିସ୍ତାନ ଶାନ୍ତି ଚାହୁଁଥିବା କହିଛି। ଭାରତର ସାମରିକ କାର୍ଯ୍ୟାନୁଷ୍ଠାନର କିଛି ଘଣ୍ଟା ପରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ କହିଥିଲେ ଯେ ଯଦି ଭାରତ ନରମ ମନୋଭାବ ଦେଖାଇବ ତେବେ ପାକିସ୍ତାନ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ସମାପ୍ତ କରିବାକୁ ପ୍ରସ୍ତୁତ।

ଉଲ୍ଲେଖଯୋଗ୍ୟ, ପହଲଗାମ ଆତଙ୍କବାଦୀ ଆକ୍ରମଣର ଦୁଇ ସପ୍ତାହ ପରେ ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ସେନା ପାକିସ୍ତାନ ଏବଂ ପାକ ଅଧିକୃତ କାଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ କରିଥିଲା। ଯେଉଁଥିରେ ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଏ-ତୈବା ଏବଂ ଜୈଶ-ଏ-ମହମ୍ମଦର ଗଡ଼ ସାମିଲ ଥିଲା।

Leave A Reply

Your email address will not be published.