ଆଇବି ମୁଖ୍ୟ ତପନ ଡେକାଙ୍କ ପୁଣି ବଢିଲା କାର୍ଯ୍ୟକାଳ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗୋଟିଏ ବର୍ଷ ପାଇଁ ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ନିର୍ଦ୍ଦେଶକ ତପନ କୁମାର ଡେକାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ତାଙ୍କ ସେବା ଅବଧି ବୃଦ୍ଧିକୁ ଅନୁମୋଦନ କରିଛି। ଏବେ ଡେକା ୩୦ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ।

ଡେକାଙ୍କ ଉତ୍କୃଷ୍ଟ କାର୍ଯ୍ୟଶୈଳୀ ଏବଂ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ଅବଦାନ ଯୋଗୁଁ ଲଗାତାର ଦ୍ୱିତୀୟ ଥର ପାଇଁ ତାଙ୍କର ସେବା ସମୟକୁ ଗୋଟିଏ ବର୍ଷ ବୃଦ୍ଧି କରାଯାଇଛି।

ତପନ ଡେକା ହିମାଚଳପ୍ରଦେଶ କ୍ୟାଡରର ୧୯୮୮ ବ୍ୟାଚର ଭାରତୀୟ ପୋଲିସ ସେବା ଅଧିକାରୀ। ଜୁନ ୨୦୨୨ରେ ଡେକା ଦୁଇବର୍ଷ ନିମନ୍ତେ ଆଇବି ମୁଖ୍ୟ ନିଯୁକ୍ତ ହୋଇଥିଲେ। ତାଙ୍କୁ ପ୍ରଥମେ ୨୦୨୩ରେ ସେବା ବିସ୍ତାର ଦିଆଯାଇଥିଲା ଯାହା ଜୁନ ୨୦୨୫ରେ ସମାପ୍ତ ହେଉଥିଲା।

ସେ ୨୦୦୮ ମସିହାରେ ମୁମ୍ବାଇରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣ ସମୟରେ କାଉଣ୍ଟର ଅପରେସନର ଦାୟିତ୍ୱରେ ଥିଲେ ଏବଂ ଇଣ୍ଡିଆନ ମୁଜାହିଦ୍ଦିନ ବିରୋଧରେ ଅପରେସନର ନେତୃତ୍ୱ ମଧ୍ୟ ନେଇଥିଲେ। ଡେକାଙ୍କର ଆସାମରେ ପରିସ୍ଥିତି ପରିଚାଳନା କରିବାର ଅଭିଜ୍ଞତା ମଧ୍ୟ ଅଛି ଏବଂ ଜମ୍ମୁ ଓ କାଶ୍ମୀରରେ ସଙ୍କଟ ସମୟରେ ସେ ସରକାରଙ୍କ ପରାମର୍ଶଦାତା ଥିଲେ।

ଡେକାଙ୍କୁ ଜୁନ୍ ୨୦୨୪ରେ ଇଣ୍ଟେଲିଜେନ୍ସ ବ୍ୟୁରୋର ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ଦିଆଯାଇଥିଲା। ଏହା ପୂର୍ବରୁ ସେ ଅତିରିକ୍ତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ।

Leave A Reply

Your email address will not be published.