ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ପାକିସ୍ତାନ ଏତେ ଭୟଭୀତ ଥିଲା ଯେ ଏଥର ଭାରତୀୟ ନୌସେନା ପକ୍ଷରୁ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରୁଥିଲା। ଭାରତୀୟ ନୌସେନା ତା’ର କ୍ୟାରିଅର ବ୍ୟାଟଲ୍ ଗ୍ରୁପକୁ ଫରୱାର୍ଡ ଡିପ୍ଲୟମେଣ୍ଟ କରିଥିଲା। ପାକିସ୍ତାନ ଏତେ ଆତଙ୍କିତ ଥିଲା ଯେ ତା’ର ଯୁଦ୍ଧଜାହାଜଗୁଡ଼ିକ କରାଚୀ ବନ୍ଦରରୁ ବାହାରକୁ ଆସିବାକୁ ସାହସ କରୁନଥିଲେ। ଏବେ ଅପରେସନ୍ ସିନ୍ଦୂରର ସଫଳତା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିଜେ INS ବିକ୍ରାନ୍ତରେ ନୌସେନା ସୈନିକ ଓ ଅଧିକାରୀମାନଙ୍କୁ ଭେଟିବେ। ଆସନ୍ତା ୩୦ ମେରେ ପ୍ରତିରକ୍ଷା ମନ୍ତ୍ରୀ ଅରବ ସାଗରରେ ମୁତୟନ ଥିବା INS ବିକ୍ରାନ୍ତରେ ବସିବେ। ଏହାପୂର୍ବରୁ ମଧ୍ୟ ରାଜନାଥ ସିଂହ ଅପରେସନ୍ ସିନ୍ଦୂରର ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ସୈନିକମାନଙ୍କର ମନୋବଳ ବଢ଼ାଇବା ପାଇଁ ଶ୍ରୀନଗରର ସ୍ଥଳସେନା ବେସ୍ ଓ ଭୁଜରେ ଭାରତୀୟ ବାୟୁସେନା ବେସ୍କୁ ଯାଇଥିଲେ। ଏବେ ସେ ନୌସେନାର ସମୁଦ୍ରରେ ଭାସୁଥିବା ଏୟାରଫିଲ୍ଡ INS ବିକ୍ରାନ୍ତକୁ ଯିବେ।
୧୯୭୧ ଯୁଦ୍ଧରେ ମଧ୍ୟ ନଥିଲା ଏତେ ବଳ
ନୌସେନାର ଭୟରେ ପାକିସ୍ତାନ ଏପରିକି NAVAREA ଚେତାବନୀ ଜାରି କରିଥିଲା। ଭାରତୀୟ ନୌସେନା ତା’ର ଯୁଦ୍ଧଜାହାଜଗୁଡ଼ିକର ଏକ ବିରାଟ ଟିମ ମୁତୟନ କରିଥିଲା। ସୂତ୍ରରୁ ଜଣାପଡ଼ିଛି ଯେ, ସମର ଅଭ୍ୟାସକୁ ଛାଡ଼ିଦେଲେ, ଏତେ ଯୁଦ୍ଧଜାହାଜ ଏକାଠି ପୁଣି ଚମତ୍କାର ସମନ୍ୱୟରେ ଏତେ ପରିମାଣରେ ଆରବ ସାଗରରେ କେବେ ଉପସ୍ଥିତ ନଥିଲା। ପାକିସ୍ତାନ ନୌସେନାର ଶକ୍ତି ବିଷୟରେ କହିବାକୁ ଗଲେ, ତା’ ପାଖରେ ୩୦ରୁ ମଧ୍ୟ କମ୍ ଯୁଦ୍ଧଜାହାଜ ଅଛି। ସୂତ୍ର ଅନୁଯାୟୀ, ୨୨ ଏପ୍ରିଲ୍ ପରେ ଭାରତୀୟ ନୌସେନା ତା’ର ଯୁଦ୍ଧ ଯାହାଜ ମୁତୟନ ବଢ଼ାଇବା ଆରମ୍ଭ କରିଥିଲା। ପ୍ରଥମେ INS ବିକ୍ରାନ୍ତକୁ ଫରୱାର୍ଡ ଡିପ୍ଲୟମେଣ୍ଟ ପାଇଁ ପଠାଇ ଦିଆଯାଇଥିଲା। କ୍ୟାରିଅର ବ୍ୟାଟଲ୍ ଗ୍ରୁପରେ ୮ରୁ ୧୦ଟି ଯୁଦ୍ଧଜାହାଜ ଉପସ୍ଥିତ ଥାଏ। ନୌସେନା ପଶ୍ଚିମ ଉପକୂଳରେ INS ବିକ୍ରାନ୍ତ ଏୟାରକ୍ରାଫ୍ଟ କ୍ୟାରିଅର ସହିତ ୭ଟି ଡିଷ୍ଟ୍ରୟର, ୭ଟି ଷ୍ଟିଲଥ୍ ଗାଇଡେଡ୍ ମିସାଇଲ୍ ଫ୍ରିଗେଟ୍ ମୁତୟନ କରିଥିଲା, ଯେଉଁଥିରେ ନିକଟରେ ନୌସେନାରେ ସାମିଲ ହୋଇଥିବା INS ତୁଶିଲ୍ ମଧ୍ୟ ରହିଛି। ଏହାଛଡ଼ା ଅର୍ଦ୍ଧ ଡଜନ ପାଖାପାଖି ସବମେରିନ୍ ଜଳ ତଳେ ରହିଛି । ଅନେକ ଫାଷ୍ଟ ଆଟାକ୍ କ୍ରାଫ୍ଟ ଓ ମିସାଇଲ୍ ବୋଟ୍ ମଧ୍ୟ ବଡ଼ ସଂଖ୍ୟାରେ ମୁତୟନ ରହିଛି । ଏକ ଆନୁମାନିକ ହିସାବ ଅନୁଯାୟୀ, ସମସ୍ତଙ୍କୁ ମିଶାଇ ପ୍ରାୟ ୩୬ଟି ଯୁଦ୍ଧଜାହାଜ ହେବେ, ଯାହା ପାକିସ୍ତାନ ନୌସେନା ପାଖରେ ଥିବା ମୋଟ ଯୁଦ୍ଧଜାହାଜ ସଂଖ୍ୟାଠାରୁ ଢ଼େର ଅଧିକ।
INS ବିକ୍ରାନ୍ତ କ୍ୟାରିଅର ବ୍ୟାଟଲ୍ ଗ୍ରୁପର ବିଶେଷତ୍ୱ
INS ବିକ୍ରାନ୍ତ କ୍ୟାରିଅର ବ୍ୟାଟଲ୍ ଗ୍ରୁପ ଦ୍ୱାରା ଆଣ୍ଟି-ସବମେରିନ୍ ୱାରଫେୟାର ଅପରେସନ୍, ଆଣ୍ଟି-ଶିପ୍ ଅପରେସନ୍, ଏୟାର ଡିଫେନ୍ସ, ସର୍ଭେଲାନ୍ସ ଏବଂ ସର୍ଚ ଆଣ୍ଡ ରେସ୍କ୍ୟୁ ଅପରେସନ୍ ଚଳାଇ ହେବ। ଏବେ INS ବିକ୍ରାନ୍ତରେ ମିଗ-୨୯ K ବିମାନ ପରିଚାଳିତ ହେଉଛି। ଏହି ଏୟାରକ୍ରାଫ୍ଟ କ୍ୟାରିଅର ପାଇଁ ଫ୍ରାନ୍ସରୁ ୨୬ଟି ରାଫେଲ M ବିମାନର ଚୁକ୍ତି ମଧ୍ୟ ହୋଇସାରିଛି। ହେଲିକପ୍ଟର ମଧ୍ୟରେ ଆମେରିକାରୁ ନିଆଯାଇଥିବା ରୋମିଓ ହେଲିକପ୍ଟର, ଚେତକ ଓ ସିକିଂ ହେଲିକପ୍ଟର ମଧ୍ୟ ଉପସ୍ଥିତ ଅଛନ୍ତି। ଯେହେତୁ ଏହା ଏକ ସମୁଦ୍ରରେ ଭାସୁଥିବା ଏୟାରଫିଲ୍ଡ, ଶତ୍ରୁର ମିସାଇଲ୍ରୁ ନିଜକୁ ବଞ୍ଚାଇବା ପାଇଁ କ୍ଲୋଜ୍ ଇନ୍ ୱେପନ୍ ସିଷ୍ଟମରେ ସଜ୍ଜିତ। ବିକ୍ରାନ୍ତରେ ୩୨ ଟ୍ୟୁବ ବିଶିଷ୍ଟ ୨ଟି ଭର୍ଟିକାଲ୍ ଲଞ୍ଚିଂ ସିଷ୍ଟମ ଲାଗିଛି। ଏହା ଏକ ଉନ୍ନତ ମିସାଇଲ୍ ଫାୟାରିଂ ସିଷ୍ଟମ, ଯେଉଁଥିରେ ଇଜ୍ରାଏଲର ୬୪ଟି ବରାକ-୮/ ମିଡିୟମ ରେଞ୍ଜ ସର୍ଫେସ ଟୁ ଏୟାର ମିସାଇଲ୍ ଫାୟାର କରାଯାଇପାରେ।