ବର୍ଷାଋତୁକାଳୀନ ରୋଗ ନିୟନ୍ତ୍ରଣ ନିମନ୍ତେ ଔଷଧ ମହଜୁଦ ପାଇଁ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଚଳିତ ବର୍ଷ ବର୍ଷାଋତୁକାଳୀନ ରୋଗ ପ୍ରତିରୋଧ ଓ ନିୟନ୍ତ୍ରଣ ନିମନ୍ତେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହି ପରିପ୍ରେକ୍ଷୀରେ ଲୋକସେବା ଭବନ ବାସଗୃହଠାରେ ବିଭାଗୀୟ ଶାସନ ସଚିବ ଅଶ୍ୱତୀ. ଏସ୍. ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।

ସୂଚନା ଅନୁଯାୟୀ, ଆଶାକର୍ମୀ ଠାରୁ ଆରମ୍ଭ କରି ସବ୍ ସେଣ୍ଟର୍, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପଖଣ୍ଡ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଆବଶ୍ୟକୀୟ ପରିମାଣ ଔଷଧ ମହଜୁଦ ରଖିବା ପାଇଁ ଶାସନ ସଚିବ ଅଶ୍ୱତୀ. ଏସ୍ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମ ସ୍ତରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଲୋକ ପ୍ରତିନିଧି, ବହୁମୁଖି ସ୍ଵାସ୍ଥ୍ୟକର୍ମୀ, ଆଶାକର୍ମୀ ଏବଂ ସ୍ଵେଚ୍ଛାସେବୀମାନଙ୍କୁ ସାମିଲ କରି ଜନସାଧାରଣଙ୍କୁ ପ୍ରତିରୋଧକ ଏବଂ ପ୍ରତିଷେଧକ ବ୍ୟବସ୍ଥା ବିଷୟରେ ସଠିକ୍ ସୂଚନା ଦେବାକୁ କହିଛନ୍ତି।

ଦୀର୍ଘସ୍ଥାୟୀ ଔଷଧଯୁକ୍ତ ମଶାରୀର ଶତପ୍ରତିଶତ ବଣ୍ଟନ ଏବଂ ବାସ୍ତବ କ୍ଷେତ୍ରରେ ସେଗୁଡ଼ିକର ବ୍ୟବହାର ଉପରେ ବିଶେଷ ଗୁରୁତ୍ଵ ଦେଇ ଆଶାକର୍ମୀ ଏବଂ ବହୁମୁଖି ସ୍ଵାସ୍ଥ୍ୟକର୍ମୀମାନଙ୍କ ମାଧ୍ୟମରେ ଏହାକୁ ନିଶ୍ଚିନ୍ତ କରାଇବା ନିମନ୍ତେ ଶାସନ ସଚିବ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଔଷଧ ଯୁକ୍ତ ମଶାରୀ ବଣ୍ଟନ, ସଚେତନତା ଅଭିଯାନ, ବିଭିନ୍ନ ସ୍ତରରେ ଆବଶ୍ୟକୀୟ ଔଷଧ ମହଜୁଦ, ମ୍ୟାଲେରିଆ ଡେଙ୍ଗୁ ଆଦି ଜ୍ଵରର ନିରୂପଣ ନିମନ୍ତେ ଟେଷ୍ଟିଂ-କିଟର ଉପଲବ୍ଧି, ସକ୍ରିୟ କ୍ଷେତ୍ର ନିରୀକ୍ଷଣ, ନିୟମିତ ଯାଞ୍ଚ ଓ ନମୁନା ପରୀକ୍ଷଣ ଆଦି ନିଶ୍ଚିନ୍ତ କରାଇବା ନିମନ୍ତେ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏହି ବରିଷ୍ଠ ଅଧିକାରୀମାନଙ୍କ କ୍ଷେତ୍ର ପରିଦର୍ଶନ ଓ ପରିଚାଳନା ନିମନ୍ତେ ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ଓ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ପାଇଁ ବୈଠକରେ ଉପସ୍ଥିତ ସ୍ଵତନ୍ତ୍ର ଶାସନ ସଚିବ ତଥା ଜନସ୍ଵାସ୍ଥ୍ୟ ନିର୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ବିଗତ ବର୍ଷମାନଙ୍କରେ ଅଧିକ ସଂଖ୍ୟକ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବା ୭ଟି ଜିଲ୍ଲାର ସମ୍ବେଦନଶୀଳ ସାମାଜିକ ବର୍ଗମାନଙ୍କ ମଧ୍ୟରେ ଶତ ପ୍ରତିଶତ ବଣ୍ଟନ ପାଇଁ ୪୦.୪୯ ଲକ୍ଷରୁ ଉର୍ଦ୍ଧ୍ଵ ଔଷଧଯୁକ୍ତ ମଶାରୀ ଯୋଗାଇ ଦିଆଯାଇଛି । ତେଣୁ ଏହି ଜିଲ୍ଲାମାନଙ୍କରେ ପ୍ରତିରୋଧକ, ନିରୀକ୍ଷଣ ଓ ପ୍ରତିଷେଧକ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବା ପାଇଁ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।

ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ, ଜାତୀୟ ସ୍ଵାସ୍ଥ୍ୟ ମିଶନ, ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀ ବୃନ୍ଦ, ବିଶେଷଜ୍ଞ ଓ ପରାମର୍ଶଦାତାମାନେ ବୈଠକର ଆଲୋଚନାର ଅଂଶଗ୍ରହଣ କରିଥିଲେ। ବୈଠକଟି ଉଭୟ ଅନ୍-ଲାଇନ୍ ଏବଂ ଅଫ୍-ଲାଇନ୍ ମୋଡରେ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.