ପୁଣି ଖସିଲା ରେପୋ ହାର: ସୁଧହାରରେ ବି ରିହାତି…. ଜାଣନ୍ତୁ ସାଧାରଣ ଲୋକଙ୍କୁ କ’ଣ ଲାଭ?

ନୂଆଦିଲ୍ଲୀ: ପୁଣି ରେପୋ ହାର ହ୍ରାସ । ଭାରତୀୟ ରିଜର୍ଭ ବ୍ୟାଙ୍କ, ଆରବିଆଇ ଆଜି ଲଗାତାର ତୃତୀୟ ଥର ପାଇଁ ରେପୋ ହାର ହ୍ରାସ କରିଛି। ଏଥର ଆରବିଆଇ ରେପୋ ହାରକୁ ୫୦ ବେସିସ୍ ପଏଣ୍ଟ ଅର୍ଥାତ୍ ୦.୫୦ ପ୍ରତିଶତ ହ୍ରାସ କରିଛି । ରେପୋ ହାର ହ୍ରାସ ନେଇ ସୂଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମଲୋହୋତ୍ରା । ଶୁକ୍ରବାର ରେପୋ ହାରରେ ୦.୫୦ ପ୍ରତିଶତ ହ୍ରାସ ଘୋଷଣା କରିଛନ୍ତି । ଏହାପରେ ରେପୋ ହାର ଏବେ ୬ ପ୍ରତିଶତରୁ ହ୍ରାସ ପାଇ ୫.୫୦ ପ୍ରତିଶତ ହୋଇଛି ।

ଆଜି ଗତ ବୁଧବାର ଆରମ୍ଭ ହୋଇଥିବା ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି, ଏମପିସି ବୈଠକର ଶେଷ ଦିନ ଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମଲୋହୋତ୍ରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରେପୋ ହାର ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ  ଅନେକ ବିଶେଷଜ୍ଞ ରେପୋ ହାରରେ ୦.୨୫ ପ୍ରତିଶତ ହ୍ରାସ ହେବ ବୋଲି ପୂର୍ବାନୁମାନ କରିଥିବା ବେଳେ ଆଜି ଆରବିଆଇ ଏଇ ବର୍ଷ ଲଗାତାର ତୃତୀୟ ଥର ପାଇଁ ରେପୋ ହାର ହ୍ରାସ କରିଛି । ପୂର୍ବରୁ ଫେବୃଆରୀ ୭ ରେ, ରେପୋ ହାରକୁ ୦.୨୫ ପ୍ରତିଶତ ହ୍ରାସ କରି ୬.୫୦ ପ୍ରତିଶତରୁ ୬.୨୫ ପ୍ରତିଶତ କରିଥିଲା ଆରବିଆଇ । ଏହା ପରେ, ଏପ୍ରିଲ ୯ ରେ ରେପୋ ହାର ୦.୨୫ ପ୍ରତିଶତ ହ୍ରାସ କରିଥିଲା, ଯାହା ଦ୍ଵାରା ରେପୋ ହାର ୬.୨୫ ପ୍ରତିଶତରୁ ୬ ପ୍ରତିଶତକୁ ହ୍ରାସ ପାଇଥିଲା ।

ତେବେ ପ୍ରାୟ ୫ ବର୍ଷର ଦୀର୍ଘ ବ୍ୟବଧାନରେ ପ୍ରଥମ ଥର ପାଇଁ ରେପୋ ହାର, ଚଳିତ ବର୍ଷ ଫେବୃଆରୀରେ ହ୍ରାସ କରାଯାଇଥିଲା । ଫେବୃଆରୀ ୨୦୨୫ ପୂର୍ବରୁ, ଆରବିଆଇ ଶେଷଥର ପାଇଁ ମେ ୨୦୨୦ ରେ ରେପୋ ହାର ହ୍ରାସ କରିଥିଲା । କୋଭିଡ୍ ସମୟରେ ଦେଶର ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାର ୦.୪୦ ପ୍ରତିଶତ ହ୍ରାସ କରିଥିଲା । ପରେ ଜୁନ ୨୦୨୩ ରେ RBI ରେପୋ ହାରକୁ ୬.୫ ପ୍ରତିଶତକୁ ବୃଦ୍ଧି କରିଥିଲା । ଜୁନ ୨୦୨୩ ପରେ, ଫେବୃଆରୀ ୨୦୨୫ ରେ ପ୍ରଥମ ଥର ପାଇଁ, ରେପୋ ହାରରେ କୌଣସି ପରିବର୍ତ୍ତନ ହୋଇଥିଲା ।

ତେବେ କହିରଖୁଛୁ, ଆରବିଆଇର ଏହି ନିଷ୍ପତ୍ତି ଦେଶର କୋଟି କୋଟି ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିବ । ରେପୋ ହାର ହ୍ରାସ କରିବା ଦ୍ୱାରା, ଏବେ ତୁଳନାତ୍ମକ ଭାବରେ ଶସ୍ତା ସୁଧ ହାରରେ ଗୃହ ଋଣ, କାର ଋଣ, ବ୍ୟକ୍ତିଗତ ଋଣ ମିଳିବ । ଋଣ ଶସ୍ତା ହେବା ଯୋଗୁଁ ଲୋକଙ୍କ ଇଏମଆଇ ମଧ୍ୟ ହ୍ରାସ ପାଇବ ଏବଂ ସେମାନେ ଏବେ ଅଧିକ ସଞ୍ଚୟ କରିପାରିବେ। କେବଳ ଏତିକି ନୁହେଁ, ଇଏମଆଇରେ ସଞ୍ଚୟ ସହିତ ସାଧାରଣ ଲୋକମାନେ ସେମାନଙ୍କର ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିପାରିବେ କିମ୍ବା ଅନ୍ୟ ଜିନିଷରେ ଅଧିକ ଖର୍ଚ୍ଚ କରିପାରିବେ।  ଯାହା ଦ୍ବାରା ଚାହିଦା ଏବଂ ବ୍ୟବହାର ବୃଦ୍ଧି ଦ୍ୱାରା ଦେଶର ଅର୍ଥନୀତି ମଜବୁତ ହୁଏ।

Leave A Reply

Your email address will not be published.