ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରକୁ ବର୍ଷେ ପୂରିଛି । ବର୍ଷକ ତଳେ ଜୁନ୍ ୧୨ତାରିଖରେ ଓଡିଶା ଦେଖିଥିଲା ନୂଆ ମୁଖ୍ୟମନ୍ତ୍ରୀଙ୍କୁ । ଜନତା ମଇଦାନରେ ଭବ୍ୟ ସମାରୋହରେ ଶପଥ ନେଇଥିଲେ ମୋହନ ମାଝୀ । ୟା ଭିତରେ ବର୍ଷେ ବିତିଛି । ତେବେ ବର୍ଷକରେ କେତେ କରିଛନ୍ତି, ସେନେଇ ଖୋଦ୍ ମୁଖ୍ୟମନ୍ତ୍ରୀ ରିପୋର୍ଟ କାର୍ଡ ରଖି ସାରିଛନ୍ତି । ନିର୍ବାଚନୀ ଇସ୍ତାହାରରେ ରଖିଥିବା ୨୧ଟି ପ୍ରତିଶ୍ରୁତିରୁ ୧୧ଟି ପୂରଣ କରିଥିବା ସରକାର ଦାବି କରୁଛନ୍ତି। ତେବେ ସରକାରଙ୍କ ଦାବି ଓ ବାସ୍ତବ ଚିତ୍ର ଭିନ୍ନ ବୋଲି ବିରୋଧୀ କହୁଛନ୍ତି । ଚାଷୀଙ୍କୁ ଇନପୁଟ୍ ସବସିଡି ଓ ସୁଭଦ୍ରା ଯୋଜନା ରାଜ୍ୟ ସରକାରଙ୍କ ପ୍ରମୁଖ ସଫଳତା ହୋଇଛି ତ ମହିଳା ବିରୋଧୀ ଅପରାଧ, ଓଡିଆ ଅସ୍ମିତାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ରାଜ୍ୟ ସରକାରଙ୍କ ବର୍ଷର ବିକାଶ ହିସାବକୁ ନେଇ ଦେଖିବା ମୋହନ ସରକାର ରିପୋର୍ଟ କାର୍ଡ, ନମ୍ବର-୬ ।
ସରକାରକୁ ଏତେ ସଫଳତା !
ଗତ ବର୍ଷେ ମଧ୍ୟରେ ବିଜେପି ସରକାରଙ୍କ ପ୍ରମୁଖ ସଫଳତା, ସୁଭଦ୍ରା ଯୋଜନା । ନିର୍ବାଚନ ବେଳେ ମହିଳାଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଦେବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଆଉ କ୍ଷମତାକୁ ଆସିବା ପରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛି । ଯୋଜନା ମାଧ୍ୟମରେ ରାଜ୍ୟର କୋଟିଏ ମହିଳାଙ୍କ ପାଖରେ ସରକାର ପହଞ୍ଚିଥିବା କହୁଛନ୍ତି । ସେହିପରି ଚାଷୀଙ୍କୁ ୮ଶହ ଟଙ୍କା ଇନପୁଟ୍ ସବସିଡି ଦେଇଛନ୍ତି ସରକାର । ଶ୍ରୀମନ୍ଦିର ପାଇଁ ୫ଶହ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ ହୋଇଛି ତ ୯ଟି ନିଯୁକ୍ତି ମେଳାରେ ୨୮ହଜାର ଖାଲି ଥିବା ସରକାରୀ ପଦବୀ ପୂରଣ ହୋଇଛି । ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମରେ ୧୭ଲକ୍ଷ କୋଟି ନିବେଶ ପାଇଁ ଶିଳ୍ପପତି ଆଗ୍ରହ ଦେଖାଇଥିବା ବେଳେ ୧୩ଲକ୍ଷ କୋଟି ନିବେଶ ପାଇଁ ଏମଓୟୁ ହୋଇଛି ।
ସଫଳତା କମ୍ ସମାଲୋଚନା ଅଧିକ !
ପ୍ରଶାସନିକ ସ୍ଥାଣୁତାକୁ ନେଇ ପ୍ରଶ୍ନ
ଗତ ବର୍ଷକ ମଧ୍ୟରେ ପ୍ରଶାସନିକ ସ୍ଥାଣୁତାକୁ ନେଇ ଅନେକ ଥର ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଏପରିକି ପ୍ରଶାସନ ଉପରେ ସରକାରଙ୍କ ନିୟନ୍ତ୍ରଣ ଏକପ୍ରକାର ହୁଗୁଳା ହୋଇଥିବା ବି ଅଭିଯୋଗ ହୋଇଛି । ସେହିପରି ବିଜେପି ସରକାର ପ୍ରଥମ ବର୍ଷରୁ ହିଁ ଅର୍ଥନୀତି ପରିଚାଳନାରେ ଋଣ ଉପରେ ଅଧିକ ନିର୍ଭରଶୀଳ ହୋଇପଡିବା ରାଜ୍ୟର ଅର୍ଥନୈତିକ ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ ବୋଲି ବିଶେଷଜ୍ଞ କହିଛନ୍ତି । ଆଇନ ଶୃଙ୍ଖଳା ଓ ମହିଳା ବିରୋଧୀ ଅପରାଧ ବଢିବାକୁ ନେଇ ଅନେକ ଥର ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଚିକିଟି ମଦମୃତ୍ୟୁ ହେଉ କି ଭରତପୁର ଥାନାରେ ନିର୍ଯାତନା ମାମଲା, ତଦନ୍ତ ତ ହୋଇଛି, ହେଲେ କାର୍ଯ୍ୟାନୁଷ୍ଠାନ ହୋଇନି । ରଥଯାତ୍ରା ପାଖେଇ ଥିବା ବେଳେ ଗତବର୍ଷ ରଥ ଉପରୁ ବଡ ଠାକୁର ପଡିଯିବା ଘଟଣାରେ ବି ଆକ୍ସନ ହୋଇନି ।
ଓଡିଆ ଅସ୍ମିତା କଥା କହି ବିଜେପି କ୍ଷମତାକୁ ଆସିଥିବା ବେଳେ ଏକ୍ଷେତ୍ରରେ ସେଭଳି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି ସରକାର । ରାଜ୍ୟରେ ଶିଳ୍ପ ଉପଯୋଗୀ ପରିବେଶ ବା ଇଣ୍ଡଷ୍ଟ୍ରିଆଲ୍ ଇକୋସିଷ୍ଟମ ଦୁର୍ବଳ ଥିବା ଅଭିଯୋଗ ହେଉଛି । ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଜାଉ ଖାଇ ତିନି ଜଣଙ୍କ ମୃତ୍ୟୁ ଘଟଣା ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ଏପରିକି ଅନେକ ସମୟରେ ମନ୍ତ୍ରୀଙ୍କ ବୟାନକୁ ନେଇ ବି ସରକାର ଅଡୁଆରେ ପଡିଛନ୍ତି । ଏପର୍ଯ୍ୟନ୍ତ ୬ମନ୍ତ୍ରୀପଦ ଖାଲି ଥିବା ବେଳେ ବୋର୍ଡ ଓ ନିଗମ ପଦ ପୂରଣ ହୋଇପାରିନି ।