ଅହମ୍ମଦାବାଦ: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପିଡୀତଙ୍କ ମୃତଦେହ ସେମାନଙ୍କର ପରିବାର ବର୍ଗକୁ ହସ୍ତାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
ବର୍ତ୍ତମାନ ଡିଏନଏ ମାଧ୍ୟମରେ ମୃତଦେହ ଚିହ୍ନଟ କରାଯାଉଥିବା ନେଇ ବିଜେ ମେଡିକାଲ୍ କଲେଜର ଅତିରିକ୍ତ ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ରଜନୀଶ ପଟେଲ କହିଛନ୍ତି। ଏବେ ପର୍ଯ୍ୟନ୍ତ ମୋଟ ୩୨ ମୃତଦେହ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ୧୨ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ତେବେ ହସ୍ତାନ୍ତର କରାଯାଇଥିବା ଏକ ମୃତଦେହ ବ୍ୟାଗରୁ ଦୁଇଟି ମୁଣ୍ଡ ମିଳିବା ଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି।ଏହାପରେ ପରିବାର ତରଫରୁ ସମ୍ପୂର୍ଣ୍ଣ ମୃତଦେହ ଦେବାକୁ ହସ୍ପିଟାଲ ପ୍ରଶାସନକୁ ଦାବି କରାଯାଇଛି।
ଗୁରୁବାର ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ମୋଟ ୨୭୦ ମୃତଦେହ ଅହମ୍ମଦାବାଦର ସିଭିଲ୍ ହସ୍ପିଟାଲକୁ ଅଣାଯାଇଥିଲା। ଏଥିମଧ୍ୟରୁ ୨୪୧ ଜଣ ବିମାନ ଯାତ୍ରୀ ଏବଂ କ୍ୟାବିନ କ୍ରୁ ଥିଲେ ଓ ବାକି ମୃତଦେହ ବିଜେ ମେଡିକାଲ କଲେଜର ହଷ୍ଟେଲରେ ଥିବା ଛାତ୍ରମାନଙ୍କର। ଯେଉଁଠାରେ ବିମାନଟି ଖସି ପଡିଥିଲା।
ବର୍ତ୍ତମାନ୍ ସିଭିଲ୍ ହସ୍ପିଟାଲର ଶବଗୃହ ବାହାରେ ପିଡୀତ ଙ୍କ ପରିବାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ଯେଉଁ ପରିବାର ସଦସ୍ୟଙ୍କୁ ଦୁଇଟି ମୁଣ୍ଡ ଥିବା ବ୍ୟାଗ ମିଳିଥିଲା ବର୍ତ୍ତମାନ୍ ସେମାନଙ୍କ ଠାରୁ ପୁଣି ଥରେ ଡିଏନ୍ଏ ନମୁନା ନିଆଯିବ ଓ ମୃତଦେହ ଚିହ୍ନଟ କରାଯିବ।
ଗୁରୁବାର ଦିନ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ବୋଇଂ ୭୮୭-୮ ଡ୍ରିମଲାଇନର ଅହମ୍ମଦାବାଦର ସର୍ଦ୍ଦାର ପଟେଲ ବଲ୍ଲଭଭାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଲଣ୍ଡନର ଗାଟୱିକ୍ ବିମାନବନ୍ଦର ପାଇଁ ଉଡ଼ାଣ ଭରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।