ରଥଯାତ୍ରାରେ ‘ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ’କୁ ବର୍ଜନ କରିବା ପାଇଁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଭିଡ଼ିଓ ବାର୍ତ୍ତା

*ରଥଯାତ୍ରାରେ ‘ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ’କୁ ବର୍ଜନ କରିବା ପାଇଁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ*

• ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ଅବସର ହେଉଛି ରଥଯାତ୍ରା
• ରଥଯାତ୍ରାରେ ପୁରୀକୁ ଆସୁଥିବା ଜନସାଧାରଣ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ଅଧିକ ବ୍ୟବହାର କରିଥାନ୍ତି
• ଭକ୍ତମାନେ ଭୋଗ ଓ ଫୁଲ ପାଇଁ ପଲିଥିନ, ପାଣି ବୋଟଲ, ପାଣି ଗ୍ଲାସ ଏବଂ ଖାଦ୍ୟ ସାମଗ୍ରୀ ନେବା ପାଇଁ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ଆଦିର ବ୍ୟବହାର କରିଥା’ନ୍ତି
• ଏହା ଦ୍ୱାରା ପୁରୀ ବଡଦାଣ୍ଡ ଦୂଷିତ ହେବା ସହ ପ୍ରଦୂଷଣର ପ୍ରଭାବ ସ୍ଥାନୀୟ ପରିବେଶ ଉପରେ ପଡିଥାଏ
• ପୂଜ୍ୟ ଗାନ୍ଧିଜୀଙ୍କ ଆଗ୍ରହର ବିଷୟ ଥିଲା – ସ୍ୱଚ୍ଛତା, ପରିବେଶ ସୁରକ୍ଷା ଏବଂ ଜୀବନ ସୁରକ୍ଷା
• ଏହି ତିନୋଟି ଲକ୍ଷ୍ୟକୁ ହାସଲ କରିବା ପାଇଁ ହେଲେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବର୍ଜନ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି
• ଭକ୍ତିଭାବ ଓ ନିଷ୍ଠା ସହକାରେ ପୁରୀର ପରିବେଶକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ସଂକଳ୍ପ ନେବା
• ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ରି-ୟୁଜ୍ ଏବଂ ରି-ସାଇକ୍ଲିଂ କରିବା ପାଇଁ ବ୍ୟାପକ ଜନଆନ୍ଦୋଳନ ଆରମ୍ଭ କରିବା
• ଏହି ପ୍ରୟାସ ; ଆଗାମୀ ପିଢିର ଭବିଷ୍ୟତକୁ ସୁରକ୍ଷିତ ରଖିବାରେ ବଡ଼ ଓ ପ୍ରଭାବଶାଳୀ ପଦକ୍ଷେପ ହେବ

ଭୁବନେଶ୍ୱର, ଜୁନ ୨୪ – ପବିତ୍ର ରଥଯାତ୍ରାର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ ଭିଡ଼ିଓ ବାର୍ତ୍ତା ଜାରି କରି ରଥଯାତ୍ରାରେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ତଥା ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ସାମଗ୍ରୀକୁ ବର୍ଜନ କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ।

ଏହି ସଚେତନତା ବାର୍ତ୍ତାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗକୁ ରଥଯାତ୍ରା ଆସୁଛି । ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ଅବସର ହେଉଛି ରଥଯାତ୍ରା । ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଘୋଷଯାତ୍ରାକୁ ଭବ୍ୟ ଭାବରେ ପାଳନ କରିବା ପାଇଁ କାମରେ ଲାଗିଛନ୍ତି । ରଥଯାତ୍ରାରେ ଜଗତର ନାଥ – ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ ଦେଉଳର ରତ୍ନ ସିଂହାସନ ଛାଡି ବଡଦାଣ୍ଡକୁ ଆସିବେ । ମହାପ୍ରଭୁଙ୍କ ସହ ପ୍ରଭୁ ବଳଭଦ୍ର, ମାଆ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନ ରଥରେ ଭକ୍ତମାନଙ୍କୁ ଦର୍ଶନ ଦେବେ । ଚତୁର୍ଦ୍ଧାମୂରତିଙ୍କ ଦିବ୍ୟ ଦର୍ଶନ ଲାଭ କରିବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଭକ୍ତମାନେ ପୁରୀ ଆସିବେ । ରଥ ଭିଡ଼ିବା ପାଇଁ ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ବିଶେଷ ଭାବରେ ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ଜନସାଧାରଣ ଓ ପର୍ଯ୍ୟଟକମାନେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ଅଧିକ ବ୍ୟବହାର କରିଥାନ୍ତି । ଭକ୍ତମାନେ ଭୋଗ ଓ ଫୁଲ ପାଇଁ ପଲିଥିନ, ପାଣି ବୋଟଲ, ପାଣି ଗ୍ଲାସ ଏବଂ ଖାଦ୍ୟ ସାମଗ୍ରୀ ନେବା ପାଇଁ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ଆଦିର ବ୍ୟବହାର କରିଥା’ନ୍ତି । ଏହା ଦ୍ୱାରା ପୁରୀ ବଡଦାଣ୍ଡ ଦୂଷିତ ହେବା ସହ ପ୍ରଦୂଷଣର ପ୍ରଭାବ ସ୍ଥାନୀୟ ପରିବେଶ ଉପରେ ପଡିଥାଏ । ଗୋ-ମାତା, ପଶୁ ପକ୍ଷୀ ଏହାର ପ୍ରତ୍ୟକ୍ଷ ଶୀକାର ହୁଅନ୍ତି । ସମୁଦ୍ର, ପୋଖରୀ, ନାଳ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଆଜି ପରିବେଶ ସୁରକ୍ଷା ; ବିଶ୍ୱ ପାଇଁ ଏକ ବଡ଼ ଆହ୍ୱାନ ହୋଇଛି । ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ହୋଇଛି । ଯେତେବେଳେ “ଆମେ ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶା”ର କଳ୍ପନା କରୁଛେ, ସେହି ସମୟରେ ଏହା ପ୍ରମୁଖ ପ୍ରସଙ୍ଗ ଭାବରେ ଉଭା ହେଉଛି । ଭାରତ ସରକାର ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ସାମଗ୍ରୀକୁ ବନ୍ଦ କରିବା ପାଇଁ ବିହିତ ପଦକ୍ଷେପ ନେଉଛନ୍ତି । ପୂଜ୍ୟ ଗାନ୍ଧିଜୀଙ୍କ ଆଗ୍ରହର ବିଷୟ ଥିଲା – ସ୍ୱଚ୍ଛତା, ପରିବେଶ ସୁରକ୍ଷା ଏବଂ ଜୀବନ ସୁରକ୍ଷା । ଏହି ତିନୋଟି ଲକ୍ଷ୍ୟକୁ ହାସଲ କରିବା ପାଇଁ ହେଲେ ଆମକୁ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବର୍ଜନ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

ଏଥିପାଇଁ ଆମେ ସମସ୍ତେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାରକୁ କମ କରିବା । ପୁରୀରେ ଜୁନ ୨୭ ତାରିଖ “ରଥଯାତ୍ରା”ରୁ ଜୁଲାଇ ୫ “ବାହୁଡ଼ା ଯାତ୍ରା” ପର୍ଯ୍ୟନ୍ତ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକକୁ ବର୍ଜନ କରିବା । ପୁରୀକୁ ଆସୁଥିବା ଜନସାଧାରଣ ତଥା ଭକ୍ତମାନଙ୍କ ମଧ୍ୟରେ ଏଥିପ୍ରତି ସଚେତନତା ତିଆରି କରିବା । ଭକ୍ତିଭାବ ଓ ନିଷ୍ଠା ସହକାରେ ପୁରୀର ପରିବେଶକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ସଂକଳ୍ପ ନେବା । ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ରି-ୟୁଜ୍ ଏବଂ ରି-ସାଇକ୍ଲିଂ କରିବା ପାଇଁ ପୁଣି ଥରେ ବ୍ୟାପକ ଜନଆନ୍ଦୋଳନ ଆରମ୍ଭ କରିବା ପାଇଁ ଶ୍ରୀ ପ୍ରଧାନ ଅପିଲ କରିବା ସହ ଏ ଦିଗରେ ସାମାଜିକ ସଂଗଠନ ବିଶେଷ ଭାବରେ ଯୁବ ସ୍ୱେଚ୍ଛାସେବୀମାନଙ୍କୁ ଆଗେଇ ଆସିବା ପାଇଁ ଅନୁରୋଧ କରିଛନ୍ତି । ଏହି ପ୍ରୟାସ ; ଆମର ଆଗାମୀ ପିଢିର ଭବିଷ୍ୟତକୁ ସୁରକ୍ଷିତ ରଖିବାରେ ଏକ ବଡ଼ ଓ ପ୍ରଭାବଶାଳୀ ପଦକ୍ଷେପ ହେବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଆପଣମାନଙ୍କ ଜୀବନ ସୁଖ ଓ ସମୃଦ୍ଧମୟ ହେଉ । ରଥଯାତ୍ରାରେ ମହାପ୍ରଭୁଙ୍କ ମାନବୀୟ ଲୀଳାର ମହାନ ବାର୍ତ୍ତା ଅଧିକ ସୁଦୂରପ୍ରସାର ହେଉ ବୋଲି ସେ କାମନା କରିଛନ୍ତି ।

Leave A Reply

Your email address will not be published.