ଆସନ୍ତାକାଲି ଧରାକୋଟ ଗସ୍ତ କରିବେ ଏଆଇସିସି ପ୍ରତିନିଧି ଦଳ

ଭୁବନେଶ୍ବର: ଗଞ୍ଜାମ ଧରାକୋଟ ଥାନା ଖାରିଗୁମା ଗାଁରେ ଦୁଇ ଜଣ ଦଳିତଙ୍କୁ ଲଣ୍ଡା କରି ଆଣ୍ଠୁରେ ଚଲାଇବା ମାମଲାରେ ଆସନ୍ତାକାଲି ଧରାକୋଟ ଗସ୍ତ କରିବେ ଏଆଇସିସି ପ୍ରତିନିଧି ଦଳ ।

ସୂଚନାନୁଯାୟୀ, ଗତ ୨୨ ତାରିଖରେ ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଖାରିଗୁମା ଗାଁରେ ରବିବାର ଅପରାହ୍ଣରେ ସ୍ଥାନୀୟ ଗୋ-ରକ୍ଷକ ସଂଗଠନର କେତେକ ବ୍ୟକ୍ତି ସିଙ୍ଗିପୁର ଗାଁର ଦୁଇ ଦଳିତ ବ୍ୟକ୍ତିଙ୍କୁ ଅଟକାଇବା ସହ ସେମାନଙ୍କଠୁ ବେଆଇନ ଭାବେ ଅର୍ଥ ଦାବି କରିଥିଲେ। ଉଭୟ ଅକ୍ଷମତା ପ୍ରକାଶ କରିବାରୁ ସେମାନେ ଉଭୟଙ୍କୁ ନିର୍ଯାତନା ଦେଇଥିଲେ। ଦୁଇ ଜଣଙ୍କୁ ଅଧା ଲଣ୍ଡା କରାଇ ଖାରିଗୁମାରୁ ଜାହାଡ଼ା ପର୍ଯ୍ୟନ୍ତ ୨ କିମି ମାଡ଼ ମାରି ଚଲାଇ ଆଣିଥିଲେ । ଜାହାଡ଼ା ଗାଁ ଦାଣ୍ଡରେ ଆଣ୍ଠେଇ ଚଲାଇବା ସହ ପାଟିରେ ଘାସ ପୂରାଇ ନର୍ଦ୍ଦମା ପାଣି ପିଆଇବା ଅଭିଯୋଗ ହୋଇଥିଲା। ଉଭୟେ ଏନେଇ ଧରାକୋଟ ଥାନାରେ ଅଭିଯୋଗ କରିଥିଲେ।

ଏଭଳି କଙ୍ଗାରୁ କୋର୍ଟ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲାରେ ରାହୁଲ ଗାନ୍ଧୀ କଡା ନିନ୍ଦା କରିଛନ୍ତି। ଏହାସହ ଓଡିଶାର ବିଜେପି ସରକାରଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ଏହା ପରେ ରାଜ୍ୟ କଂଗ୍ରେସ ଉଦ୍‌ବେଗ ପ୍ରକାଶ କରିଛି।

ଏହାପରେ ବ୍ରହ୍ମପୁରଠାରେ ଦୁଇ ପୀଡ଼ିତ ଯୁବକଙ୍କୁ ଭେଟି ସେମାନଙ୍କ ଠାରୁ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଶୁଣିଥିଲେ ଏବଂ ତାପରେ ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲାପାଳ ଓ ଗଞ୍ଜାମ ଆରକ୍ଷୀ ଅଧିକାରୀଙ୍କୁ ମଧ୍ୟ ଭେଟିଥିଲେ।

ଆଡଭୋକେଟ ମଲ୍ଲିକଙ୍କ ସୂଚନା ହସ୍ତଗତ ହେବାପରେ ଏଆଇସିସିର ଏକ ପ୍ରତିନିଧି ଦଳ ଏଆଇସିସିର ଅନୁସୂଚିତ ଜାତି ବିଭାଗ ଅଧ୍ଯକ୍ଷ ରାଜେନ୍ଦ୍ର ପାଲ ଗୌତମ ( ପୂର୍ବତନ ମନ୍ତ୍ରୀ) ମନୋଜ ରାମ (ସାଂସଦ), ଭମସି କ୍ରିଷ୍ଣା ଗଡାମ (ସାଂସଦ), ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଜୟଦେବ ଜେନା ଆସନ୍ତାକାଲି ଉକ୍ତ ସ୍ଥାନକୁ ଗସ୍ତ କରି ପୀଡ଼ିତମାନଙ୍କୁ ସାକ୍ଷାତକରି ଏକ ବିଶଦ ବିବରଣୀ ବିରୋଧ ଦଳ ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କୁ ପ୍ରଦାନ କରିବେ।

Leave A Reply

Your email address will not be published.