ଆଗକୁ ବଡ ବର୍ଷା! ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟକ୍ଷମ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଗାମୀ ୧୨ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଆଜି ୪ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା କରି ଗୃହ ଓ ନଗର ଉନ୍ନୟନ ବିଭାଗ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି)କୁ ସତର୍କ କରିଛି । ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ୟୁଏଲବିଗୁଡ଼ିକୁ ସମ୍ଭାବ୍ୟ ଜଳାବଦ୍ଧ ଅଞ୍ଚଳରେ ଜଳ ନିଷ୍କାସନ ନିମନ୍ତେ ପାଣି ପମ୍ପକୁ ଆଗୁଆ ରଖିବା ସହ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟକ୍ଷମ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିଜନିତ ସ୍ଥିତିର ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । ଅତ୍ୟଧିକ ବର୍ଷା ଯୋଗୁ ସୃଷ୍ଟି ହେଉଥିବା ଯେକୌଣସି ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଦ୍ରୁତ ପ୍ରତିକ୍ରିୟା ଦଳ ଗଠନ କରିବା ଉପରେ ଉଷା ପାଢ଼ୀ ଗୁରୁତ୍ୱାରୋପ କରିଛନ୍ତି ।

ବିଦ୍ୟୁତ୍ ବିଭାଗ ସହ ସମନ୍ବୟ, ଜରୁରିକାଳୀନ ମାନବ ସମ୍ବଳର ଉପଲବ୍ଧତା ଏବଂ ଅତ୍ୟାବଶ୍ୟକ ଉପକରଣର ପ୍ରସ୍ତୁତି କାର୍ଯ୍ୟ ଉପରେ ବିଭାଗ ନିରନ୍ତର ନଜର ରଖିଛି ଏବଂ ନାଗରିକମାନଙ୍କୁ ସତର୍କ ରହିବାକୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ପରାମର୍ଶ ଅନୁସରଣ କରିବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.